ବିଦ୍ୟାଳୟରେ ଜମିରହିଛି ବର୍ଷାପାଣି

ରାହାମା,୨୨ା୯ (ଶ୍ରୀକାନ୍ତ ଦାସ): କୋମଳମତି ପିଲାମାନଙ୍କ ପଢ଼ିବା ଲାଗି ଶୈକ୍ଷିକ ବାତାବରଣ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନ ରହିବା କଥା। କିନ୍ତୁ ଏହି ପରିବେଶ ଯଦି ବିଗିଡ଼ିଯିବ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ନାକ ଟେକିବେ। ବେସରକାରୀ ସ୍କୁଲର ପରିଷ୍କାର ପରିଚ୍ଛନ୍ନତାକୁ ଲକ୍ଷ୍ୟ କରି ୫-ଟି ଜରିଆରେ ବିଭିନ୍ନ ବିଦ୍ୟାଳୟର ରୂପାନ୍ତରଣ ହୋଇଥିଲା। ସେଥିମଧ୍ୟରୁ ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ରାହାମାଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଥାଇଲୋ ଅବସ୍ଥା ଶୋଚନୀୟ ହୋଇପଡିଛି। ବିଦ୍ୟାଳୟରେ ଦୀର୍ଘ ଦିନ ବର୍ଷା ପାଣି ଜମି ରହିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ବିଷଧର ସାପ, ମଶା ମାଛିଙ୍କ ଆଶ୍ରୟ ସ୍ଥଳ ପାଲଟିଛି। ଏହାକୁ ଦେଖି ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ଛାଡ଼ିବାକୁ ଏବେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି।
ସରକାରୀ ଉଚ୍ଚ ବିଦ୍ୟାଳୟ, ଥାଇଲୋ ୧୯୬୪ରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ରହିଛି। ବର୍ତ୍ତମାନ ୨୯୬ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ ଥିବା ସୂଚନା ମିଳିଛି। ୫-ଟି ଅଧୀନରେ ଯାଉଥିବା ଏହି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଅସ୍ବାସ୍ଥ୍ୟକର ହୋଇ ପଡିଛି। ଏହି ବିଦ୍ୟାଳୟରେ ଥିବା ଆଜ୍‌ବେଷ୍ଟସ ଗୃହ ଓ ବାରଣ୍ଡାରେ ବର୍ଷାପାଣି ଜମି ରହୁଛି। ଏହି ଅଞ୍ଚଳଟି ବନ୍ୟା, ବାତ୍ୟାପ୍ରବଣ ହୋଇଥିବା ବେଳେ ଆଜ୍‌ବେଷ୍ଟସ ଘରଗୁଡ଼ିକ ଆଉ ଶିକ୍ଷାଦାନ ପାଇଁ ଉପଯୁକ୍ତ ହୋଇ ରହିନାହିଁ। ଏହି ବିଦ୍ୟାଳୟ ୫-ଟି ଅଧୀନରେ ୪୫ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ହୋଇଥିଲା। ହେଲେ ଏଠାରେ ଏବେ ଭଲ ପାଇଖାନାଟିଏ ନିର୍ମାଣ ହୋଇ ପାରିନାହଁି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ପୃଷ୍ଟିଙ୍କୁ ପଚାରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏକାଧିକ ବାର ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏ ସଂକ୍ରାନ୍ତରେ ଆଲୁମିନି କମିଟିର ସଭାପତି ତଥା ଜିଲାପରିଷଦ ସଭ୍ୟ ରବିନାରାୟଣ ସାହୁଙ୍କୁ ପଚାରିବାରେ ପ୍ରଶାସନିକ ବ୍ୟବସ୍ଥା ଭିତରେ ଏହିସବୁ ସମସ୍ୟାର ସମାଧାନ ହେବାକଥା। କେଉଁଠି ନା କେଉଁଠି ତ୍ରୁଟି ରହିବା ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ। ଅପରପକ୍ଷରେ ବିଦ୍ୟାଳୟର ପୂତିଗନ୍ଧମୟ ପରିବେଶର କେବେ ସୁଧାର ଆସିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।