Advertisement

ଜିଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ, କେମିକାଲ ଅଭାବ

କେନ୍ଦୁଝର, ୫।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଚିକିତ୍ସାଳୟ)ରେ ଔଷଧ ଓ କେମିକାଲ ଅଭାବ ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏଣୁ ରୋଗୀମାନେ ବାହାରୁ ଔଷଧ କିଣିବା ସହ ବିଭିନ୍ନ ପ୍ରକାର ପରୀକ୍ଷା ବାହାରୁ କରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏଠାରେ ନିରାମୟ ଯୋଜନା ଫେଲ୍‌ ମାରିଛି ବୋଲି ଅଭିଯୋଗ ହେଉଛି।
ପ୍ରକାଶ ଯେ, ଜିଲା ମୁଖ୍ୟାଳୟରେ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା ଉଦ୍‌ଘାଟିତ ହୋଇଥିଲେ ହେଁ କେବଳ ପାଠପଢ଼ା ନିଜସ୍ବ କ୍ୟାମ୍ପସରେ ଚାଲିଛି। ରୋଗୀସେବା କାର୍ଯ୍ୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଛି। ତେବେ ଉପଯୁକ୍ତ ତଦାରଖ ଓ ପରିଚାଳନା ଅଭାବରୁ ଅବ୍ୟବସ୍ଥା ଦେଖାଦେଉଥିବାରୁ ଅସନ୍ତୋଷ ବଢୁଛି। କିଛିଦିନ ହେଲା କେମିକାଲ ଅଭାବରୁ ଡାଇବେଟିକ, କିଡ୍‌ନୀ, ଲିଭର, ଗଣ୍ଠିବାତ ଆଦି ଟେଷ୍ଟ ହେଉନାହିଁ। ଫଳରେ ରୋଗୀମାନେ ବାହାରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ଟେଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ଗରିବ ଲୋକେ ଟଙ୍କା ନ ଥିଲେ ବାହାରେ ଏହିସବୁ ଟେଷ୍ଟ କରିପାରୁନାହାନ୍ତି। ଫଳରେ ଅନେକେ ବିନା ଚିକିତ୍ସାରେ ଘରକୁ ଫେରୁଛନ୍ତି। ସେହିପରି ବହୁ ଔଷଧ ମିଳୁ ନ ଥିବାରୁ ରୋଗୀମାନେ ବାହାରୁ କିଣୁଛନ୍ତି। ଔଷଧ ଦୋକାନୀମାନେ ଲାଭବାନ ହେଉଥିବା ବେଳେ ଗରିବ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ବାନ୍ତ ହେଉଛନ୍ତି।
ଏନେଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡ. ମହେନ୍ଦ୍ର ନାଏକ କହିଛନ୍ତି, କେମିକାଲ ଆଜି ପହଞ୍ଚତ୍ଛି। ଆଉ ସମସ୍ୟା ନାହିଁ। କେମିକାଲ ଓ ମେଡିଶିନ ସପ୍ଲାଇରେ ବିଳମ୍ବ କାରଣରୁ ଏଭଳି ସମସ୍ୟା ଦେଖାଦେଇଛି। ତେବେ କିଛିଦିନ ମଧ୍ୟରେ ଏସବୁର ସମାଧାନ ହୋଇଯିବ। ଏଠାରେ ଅନେକ ସମୟରେ ଡାକ୍ତର ଆସୁନାହାନ୍ତି କିମ୍ବା ବିଳମ୍ବରେ ଆସୁଛନ୍ତି ଏବଂ ଶୀଘ୍ର ଚାଲିଯାଉଥିବା ଅଭିଯୋଗ ହେଉଛି। ସେହିପରି ରାଗୀ ଦେଖି ପ୍ରେସକ୍ରିପ୍ସନ ଲେଖି ଟେଷ୍ଟ କରିବାକୁ କହୁଥିବା ବେଳେ ସେସବୁ ଟେଷ୍ଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରିପୋର୍ଟ ଦେଖାଇପାରୁ ନାହାନ୍ତି। ଫଳରେ ପୁଣି ରିପୋର୍ଟ ପାଇଁ ପରବର୍ତ୍ତୀ ତାରିଖକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି, ଏସବୁର ତଦାରଖ କରାଯାଇ ପଦକ୍ଷେପ ନିଆଯିବ। ଏହି ଡାକ୍ତରଖାନା ମେଡିକାଲ କଲେଜ ଅଧୀନରେ ରହିଥିବାରୁ କଲେଜ ପକ୍ଷରୁ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ସମାଧାନ କରିବାକୁ ପଦକ୍ଷେପ ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share