Categories: ଜାତୀୟ

ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ଉତ୍ତର ପୂର୍ବର ମଣିପୁରରେ ହିଂସା ଘଟୁଛି। ମହିଳାଙ୍କ ବିରୋଧରେ ଅତ୍ୟାଚାର ଘଟଣା ଚାଲିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ମୁମ୍ବାଇରେ ମଜା କରିବାକୁ ଯାଉଛନ୍ତି।

ସଞ୍ଜୟ ରାଉତ ଆହୁରି କହିଛନ୍ତି, ଭାଜପା ଲୋକେ କିଛି ବି କରିପାରନ୍ତି। ଏମାନେ ଲାଲବାଗର ରାଜାଙ୍କୁ ଗୁଜରାଟ ନେଇ ଯାଇ ପାରନ୍ତି। ଏଥିପାଇଁ ଏମାନେ ବି ପ୍ରସ୍ତାବ ଦେଇ ପାରନ୍ତି। ଏମାନେ ବ୍ୟବସାୟୀ। ମୁଁ ଏ କଥା ବୁଝିସୁଝି କହୁଛି। ଏମାନେ ନିଜକୁ ମହାରାଷ୍ଟ୍ରର ଶତ୍ରୁ ବୋଲି ଭାବନ୍ତି। ଏମିତି ବହୁତ ରାଜ୍ୟ ଅଛି ଯାହାକୁ ଏମାନେ ଲୁଟିବାକୁ ଚାହୁଁଛନ୍ତି। ଏହା ଭାଜପା ଲୋକ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ କାମ। ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଥିବାରୁ ଲ ଆଣ୍ଡ ଅର୍ଡର ମେଣ୍ଟେନ କରିବା ତାଙ୍କ କାମ ନୁହେଁ। ତାଙ୍କ କାମ ହେଉଛି ପାର୍ଟି ଭାଙ୍ଗ, ଯୋଡ, କୋର୍ଟ ଉପରେ ଓ ନିର୍ବାଚନ ଆୟୋଗ ଉପରେ ଚାପ ଦିଅ। ଏହି କାମ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ କରୁଛନ୍ତି। ଆଉ ଇତିହାସରେ ତାଙ୍କ ନାମ ରହିବ ଯେ ଦେଶରେ ଏମିତି ଜଣେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ।

ସୂଚନାଯୋଗ୍ୟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର (ସେପ୍ଟେମ୍ବର ୮, ୨୦୨୪) ନିର୍ବାଚନ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପହଞ୍ଚିଛନ୍ତି। ଗଣେଶ ଚତୁର୍ଥି ଉତ୍ସବ ମଧ୍ୟରେ ସେ ସେଠାରେ ‘ଲାଲବାଗ ରାଜା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି, ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସାକ୍ଷାତ୍‌ କରିବେ। ଅମିତ ଶାହାଙ୍କ ପରିବାର ପ୍ରତିବର୍ଷ ମୁମ୍ବାଇକୁ ଆସି ‘ଲାଲ ବାଗ ରାଜା’ଙ୍କ ପାଦତଳେ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଥାଆନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ଶାହାଙ୍କ ଏହି ଗସ୍ତ ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

Share