ଆର୍‌ଡି ରାସ୍ତାରେ ପାଣି, ଲୋକେ ହୀନସ୍ତା

ସିଂହପୁର,୧୮ା୭(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଡିହକୁଳା ଆର୍‌ଡି ରାସ୍ତାର ନାଉବାଙ୍କଠାରେ ପାଣି ଜମୁଛି। ଫଳରେ ଲୋକେ ଯାତାୟାତରେ ହୀନସ୍ତା ଭୋଗୁଛନ୍ତି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣିର ଲହଡି ମାରୁଛି। ଏହି ରାସ୍ତା ଅଞ୍ଚଳର ମୁଖ୍ୟ ରାସ୍ତା। ଦୈନିକ ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଯାତାୟାତ କରନ୍ତି। ଏପରି କି ଭଦ୍ରକ ଜିଲାକୁ ଯିବାକୁ କମ ବାଟ ହେଉଥିବାରୁ ଏହିବାଟେ ବହୁ ଦୂରଦୂରାନ୍ତକୁ ଲୋକେ ଯାଆନ୍ତି। ହେଲେ ରାସ୍ତା କଦର୍ଥ ହୋଇପଡ଼ିଥିବାରୁ ଯାତାୟାତ କଷ୍ଟକର ହେଉଛି। ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଦାବି କରିବାପରେ ନାମକୁ ମାତ୍ର ବଜୁରି ପକାଇ ବିପୁଳ ଟଙ୍କା ବିଲକରି ଲୁଟ୍‌ କରାଯାଉଛି। ଅଥଚ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇଛି। ରାସ୍ତାରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଏପରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ରାସ୍ତାରୁ ଜଳ ନିଷ୍କାସନ କରିବା ସହ ରାସ୍ତା ଉଚ୍ଚା କରି ଢଳେଇ କରିବାକୁ ଘନଶ୍ୟାମ ନାୟକ, ବିଜୟ ସାମଲ, ହରିଶ୍ଚନ୍ଦ୍ର ଯେନା, ସାମନ୍ତ ଯେନା ଓ ଅଭିରାମ ନାୟକ ପ୍ରମୁଖ ସ୍ଥାନୀୟ ଲୋକ ଦାବି କରିଛନ୍ତି।