ନେପ୍‌ଚ୍ୟୁନ୍‌ ପଛରେ ଥାଇପାରେ ପୃଥିବୀ ଭଳି ଗ୍ରହ

ଟୋକିଓ, ୭ା୯ (ଆଇଏଏନ୍‌ଏସ୍‌): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ (ବରୁଣ ଗ୍ରହ) ପଛରେ ପୃଥିବୀ ଭଳି ଗ୍ରହ ‘ପ୍ଲାନେଟ୍‌ ନାଇନ୍‌’ ରହିଥାଇପାରେ ବୋଲି ଜାପାନର ଖଗୋଳ ବିଜ୍ଞାନୀମାନେ ସେମାନଙ୍କ ଅନୁମାନ କରୁଛନ୍ତି। ୨୦୦୬ରେ ପ୍ଲୁଟୋକୁ ଛୋଟ ଗ୍ରହ ଭାବେ ଘୋଷଣା କରାଯିବା ପରେ ‘ପ୍ଲାନେଟ୍‌ ନାଇନ୍‌’ର ଅସ୍ଥିତ୍ୱ ଉପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି। ଏଭଳିସ୍ଥଳେ ଜାପାନ ଖଗୋଳ ବିଜ୍ଞାନୀମାନଙ୍କ ଉପରୋକ୍ତ ଅନୁସନ୍ଧାନ ଅଷ୍ଟ୍ରୋନୋମିକାଲ ଜର୍ନାଲରେ ପ୍ରକାଶ ପାଇଛି।

ଓସାକାର କିଣ୍ଡାଇ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ସୋଫିଆ ଲାଇକାୱା ଏବଂ ଜାପାନ ନ୍ୟାଶନାଲ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ ବିଭାଗର ଟାକାସି ଇଟୋ ‘କୁଇପର ବେଲ୍ଟ’ରେ ପୃଥିବୀ ପରି ଗ୍ରହର ସ୍ଥିତି ଅନୁମାନ କରିଛନ୍ତି। କୁଇପର ବେଲ୍ଟ ହେଉଛି ମଝିରେ କଣା ଥିବା ଗୋଲ ଆକୃତିର ଅଞ୍ଚଳ, ଯାହା ନେପ୍‌ଚ୍ୟୁନ୍‌ କକ୍ଷପଥ ନିକଟରୁ ସୂର୍ଯ୍ୟ ନିକଟ ଯାଏ ବିସ୍ତାରିତ।

ଏହା ଏକ ବୃହତ୍‌ ବଳୟ, ଯେଉଁଥିତ୍ରେ ଲକ୍ଷ ଲକ୍ଷ ଛୋଟବଡ଼ ଖଗୋଳୀୟ ବସ୍ତୁ ତଥା ଡାର୍ଫ ଗ୍ରହ, ଆଷ୍ଟେରଏଡ, କାର୍ବନ ବସ୍ତୁ ଏବଂ ମିଥେନ ଏବଂ ଆମୋନିଆ ଭଳିି ବରଫ ସଦୃଶ ଶୀତଳ ଉପାଦାନ ଭରି ରହିଛି। ଦୁଇ ଜାପାନୀ ଅନୁସନ୍ଧାନକାରୀଙ୍କ ଅନୁସାରେ ପ୍ଲାନେଟ୍‌ ନାଇନ୍‌ ପୃଥିବୀଠାରୁ ୧.୫ରୁ ୩ଗୁଣ ବଡ଼ ଏବଂ ସୂର୍ଯ୍ୟଠାରୁ ୫୦୦ ଆଷ୍ଟ୍ରୋନୋମିକାଲ ୟୁନିଟ୍‌ ଦୂରରେ ରହିଛି।

Share