କେନ୍ଦୁଝର,୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଇଁ ସୋମବାର କେନ୍ଦୁଝର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଭକ୍ତମାନେ ଲଗାଇଥିବା ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣଙ୍କ ହେଲେ କେନ୍ଦୁଝର ପୁରୁଣା ବଜାରର ବାସନ୍ତୀ ସାହୁ। ଦୀପ ଜଳାଉଥିବା ସମୟରେ ଅସାବଧାନତା ଯୋଗୁ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ।