ଦିଲ୍ଲୀ ଲିଙ୍କ୍‌ ନେଇ ଜୋର ଧରିଲା ଚର୍ଚ୍ଚା

ସମ୍ବଲପୁର,୧୧ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଶୁକ୍ରବାର ୧୩ଦିନ ପୂରିଛି। ଘଟଣାର ପ୍ରଥମ ଦିନରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ହତ୍ୟାର କାରଣ ସ୍ପଷ୍ଟ କରିପାରି ନାହିଁ। ଇତିମଧ୍ୟରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ଗୁଜରାଟ ନେଇ ପଲିଗ୍ରାଫ୍‌ ଏବଂ ନାର୍କୋ ଟେଷ୍ଟ କରାଯାଇଛି। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାର ଗୁଜବ ସୃଷ୍ଟି ହେବାରେ ଲାଗିଛି। ଉଦାହରଣ ସ୍ବରୂପ ଗୋପାଳଙ୍କୁ ଭାଜପା ଶାସିତ ଗୁଜରାଟକୁ କାହିଁକି ନିଆଗଲା, ସେ ସମ୍ପର୍କରେ କଳ୍ପନା ଜଳ୍ପନା ସୃଷ୍ଟି ହେଉଛି। ତେବେ ନବ ଦାସ ହତ୍ୟା ଘଟଣାରେ ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବାନେଇ ବିଭିନ୍ନ ମହଲରେ ଆଲୋଚନା ହୋଇ ଆସୁଥିବାବେଳେ ଏବେ ଏକ ନୂଆ ତଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ନବଙ୍କ ହତ୍ୟାକାଣ୍ଡର ସୁରାକ୍‌ ଦିଲ୍ଲୀରୁ ମିଲିବ ବୋଲି କୁହାଯାଉଛି।
ଆଲୋଚନା ହେଉଛି ଯେ, ହତ୍ୟାର କିଛି ସପ୍ତାହ ପୂର୍ବେ ନବ ଦାସ ଦିଲ୍ଲୀ ଗସ୍ତ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ଥିଲା। ସେଠାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ନବଙ୍କ ସାକ୍ଷାତ୍‌ ହୋଇଥିଲା। ଏପରି କି ବଚସା ମଧ୍ୟ ହୋଇଥିଲା ବୋଲି ନବ କୁଆଡ଼େ କହିଥିଲେ। କୋଇଲା ପରିବହନ ବ୍ୟବସାୟରେ ସମ୍ପୃକ୍ତି ଥିବା କେତେକ ସୂତ୍ରରୁ ଜଣାପଡ଼ିଛି ଯେ, ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି – ୨ ଓ ୩ ରେ ପରିବହନ ଏବଂ ଏଠାରେ ଥିବା ଅନ୍ୟାନ୍ୟ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। କୁହାଯାଉଛି ଯେ, ସମ୍ବଲପୁର ଜିଲା ରେଙ୍ଗାଲି, ଝାରସୁଗୁଡ଼ା, ସୁନ୍ଦରଗଡ଼, ବ୍ରଜରାଜନଗର ଭଳି କୋଇଲା ଖଣି ଅଞ୍ଚଳରେ ପରିବହନ ଓ ଅନ୍ୟ କାମଗୁଡ଼ିକରେ ଅନେକ ଲୋକ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ସହ ନବ ଦାସଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ରହୁଥିଲା। ତେଣୁ କୋଇଲା ଖଣିଗୁଡ଼ିକରେ ପରିବହନ କାର୍ଯ୍ୟରେ ନିୟୋଜିତ ଅନ୍ୟ କମ୍ପାନୀଗୁଡ଼ିକର ଅଧିକାରୀମାନେ ନବଙ୍କୁ କୁଆଡ଼େ ଟାର୍ଟେଟ କରିଥିଲେ। ଅନ୍ୟପକ୍ଷରେ କୋଇଲା ପରିବହନରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅଂଶୀଦାର ରହିଥିବାରୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଲଗାଇ ନବଙ୍କ ସମସ୍ତ ବ୍ୟବସାୟକୁ ବନ୍ଦ କରି ଦିଆଯିବାକୁ ମଧ୍ୟ ଚେଷ୍ଟା କରାଯାଇ ଥାଇପାରେ। ତେଣୁ ନବଙ୍କ ଉକ୍ତ ଦିଲ୍ଲୀ ଗସ୍ତ ସମୟର ଫୋନ୍‌ କଲ୍‌ ମଧ୍ୟ ଯାଞ୍ଚ କରିବାକୁ କେତେକ ମହଲରୁ ଦାବି ଉଠିଲାଣି। ଅପରପକ୍ଷରେ ଅଭିଯୁକ୍ତ ଗୋପାଳ ଦାସଙ୍କ ସରକାରୀ ବାସଭବନରୁ ଜବତ ହୋଇଥିବା କାର୍‌(ଓଆର୍‌୧୫-ଏମ୍‌-୪୨୬୩) କୋଇଲା ପରିବହନ ସଂସ୍ଥା ମାଲିକ ଅରୁନ କୁମାର ମୁନ୍ଦ୍ରାଙ୍କର ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ତେଣୁ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା ମଧ୍ୟ କରିଛି। ସେହିପରି ନବ ଦାସଙ୍କ ହତ୍ୟା ଘଟଣାର ୨ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ଜଣେ କୋଇଲା ପରିବହନ ସଂସ୍ଥାର ମାଲିକଙ୍କୁ ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗି ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଶିଳ୍ପ ଓ ଖଣି ଅଞ୍ଚଳରେ କୋଇଲା ପରିବହନକୁ ନେଇ ପୂର୍ବରୁ ଏକାଧିକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ସେଥିରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସିଛି। ତେଣୁ ଏବେ କୋଇଲା ପରିବହନ ବିବାଦରେ ଜଣେ ପୋଲିସକୁ ନିୟୋଜିତ କରି ନବ ଦାସଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଲୋଚନା ହେଉଛି।

Share