ଏଲିଜାବେଥ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ଓ୍ବାଶିଂଟନ୍‌,୨୭ା୫: ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ୧୯୮୩ରେ ଏଲିଜାବେଥ୍‌ ଦ୍ୱିତୀୟ ଆମେରିକା ଗସ୍ତରେ ଥିବାବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ନିଜ ନୂଆ ଦସ୍ତାବିଜରେ ପ୍ରଘଟ କରିଛି।
୪୦ ବର୍ଷ ତଳେ ସମ୍ରାଜ୍ଞୀ ଏଲିଜାବେଥ କାଲିଫର୍ନିଆ ଯାଇଥିଲେ। ସେହି ସମୟରେ ସାନ୍‌ ଫ୍ରାନ୍‌ସିସ୍କୋରେ ଥିବା ଏକ ଇରିଶ୍‌ ପବକୁ ବାରମ୍ବାର ଯାଉଥିବା ଜଣେ ପୋଲିସ ଅଧିକାରୀ ଭେଟିଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଏଫ୍‌ବିଆଇ ତଦନ୍ତକାରୀମାନଙ୍କୁ ଜଣାଇଥିଲେ। ନର୍ଦ୍ଦର୍ନ ଆୟରର୍ଲାଣ୍ଡରେ ରବର ବୁଲେଟ୍‌ ମାଡ଼ରେ ସେହି ବ୍ୟକ୍ତିଙ୍କ ଝିଅ ପ୍ରାଣ ହରାଇଥିବାରୁ ସେ ଏହାର ପ୍ରତିଶୋଧ ନେବାକୁ ଯାଇ କୁଇନ୍‌ ଏଲିଜାବେଥ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ ଦେଇ ରୟାଲ ୟାଚ୍‌ ବ୍ରିଟାନିଆ ଯିବାବେଳେ ବ୍ୟକ୍ତି ଜଣକ ଉପରୁ କିଛି ଫିଙ୍ଗିବା କିମ୍ବା ଏଲିଜାବେଥ ୟୋସେମାଇଟ୍‌ ନ୍ୟାଶନାଲ ପାର୍କକୁ ଯିବାବେଳେ ତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିବା ପୋଲିସ ଅଧିକାରୀଙ୍କୁ କହିଥିଲେ। ଏଲିଜାବେଥ୍‌ ଓ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗଙ୍କ ଗସ୍ତର ପ୍ରାୟ ମାସେ ପୂର୍ବରୁ ଅର୍ଥାତ୍‌ ୧୯୮୩ ଫେବୃୟାରୀ ୪ରେ ଏହି ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ସୁରାକ ମିଳିଥିଲା। ଏଥିଲାଗି ସିକ୍ରେଟ୍‌ ସର୍ଭିସ ଗୋଲ୍ଡେନ ଗେଟ୍‌ ବ୍ରିଜ୍‌ ଉପରେ ପଥଚାରୀଙ୍କ ବାଟ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଥିଲେ। ତେବେ ଏହାକୁ ଏଡ଼ାଇବା ପାଇଁ ୟୋସେମାଇଟ୍‌ରେ କ’ଣ ପଦକ୍ଷେପ ନିଆଯାଇଥିଲା ତାହା ଜଣାପଡ଼ିନାହିଁ। ଗିରଫଦାରି ସମ୍ପର୍କରେ ମଧ୍ୟ ଏଫ୍‌ବିଆଇ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଅନ୍ୟ ଏକ ଦସ୍ତାବିଜ ଅନୁସାରେ ୧୯୯୧ରେ ଏଲିଜାବେଥଙ୍କ ଆମେରିକା ଗସ୍ତ ବେଳେ ଇରିଶ୍‌ ଗୋଷ୍ଠୀଗୁଡ଼ିକ ତାଙ୍କ ହ୍ବାଇଟ୍‌ ହାଉସ୍‌ କାର୍ଯ୍ୟକ୍ରମକୁ ବିରୋଧ ପାଇଁ ପ୍ରସ୍ତୁତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, କୁଇନ୍‌ଙ୍କ ସମ୍ପର୍କୀୟ ଭାଇ ତଥା ଭାରତର ପୂର୍ବତନ ଭାଇସ୍‌ରାୟ ଲର୍ଡ ମାଉଣ୍ଟବେଟେନ୍‌ ୧୯୭୯ ଅଗଷ୍ଟ ୨୭ରେ ଆୟର୍ଲାଣ୍ଡର ସ୍ଲିଗୋ କାଉଣ୍ଟିକୁ ଯାଇଥିବାବେଳେ ବିସ୍ଫୋରଣ ଘଟାଇ ତାଙ୍କୁ ହତ୍ୟା କରାଯାଇଥିଲ।

Share