୨ ମାସ ତଳୁ ମୋ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା: ଇମ୍ରାନ…

ଇସଲାମାବାଦ,୮।୧୧ : ଗୁଜରାନୱାଲା ରାଲିରେ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି ବାହାରିଛି। ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଏହା ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋତେ ଦୁଇ ମାସ ତଳୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା।

ଇମ୍ରାନ ଖାନ କହିଛନ୍ତି ଯେ ଯେତେବେଳେ ମୋତେ ବହିଷ୍କାର କରାଯାଇଥିଲା ସେତେବେଳେ ଏହି ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା। ମୁଁ ଲୋକଙ୍କ ସମର୍ଥନ ପାଇବା ଆରମ୍ଭ କଲି, ଯାହା ସରକାରଙ୍କୁ ଚକିତ କରି ଦେଇଥିଲା।ସେମାନେ ଭାବିଥିଲେ ମୋର ଦଳ ଶେଷ ହେବ, କିନ୍ତୁ ଅପରପକ୍ଷେ, ଆମେ ବହୁ ସଂଖ୍ୟକ ଲୋକଙ୍କ ସମର୍ଥନ ପାଇବା ଆରମ୍ଭ କଲୁ, ଏହା ପରେ ବର୍ତ୍ତମାନର ସରକାର କ୍ରୋଧିତ ହୋଇ ମୋ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ କଲେ। ଏହି ଲୋକମାନେ ମୋତେ ମାରିବା ପାଇଁ ଯୋଜନା କରିବା ଆରମ୍ଭ କଲେ। ମୁଁ ଏହା ମଧ୍ୟ କହିଥିଲି ଯେ ମୋତେ ହତ୍ୟା କରାଯାଇପାରେ।

ଇମ୍ରାନ ଖାନ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ଏକ ଧାର୍ମିକ ମୌଳବାଦୀ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଦର୍ଶାଇ ମୋ ଉପରେ ଆକ୍ରମଣ କରିବାକୁ ଚାହୁଁଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ସେ କହିଛନ୍ତି। ତେଣୁ ମୁଁ ପୂର୍ବରୁ ସତର୍କ ହୋଇ ଚେତାବନୀ ଦେଇଥିଲି ଯେ ମୋତେ ହତ୍ୟା କରାଯାଇପାରେ।

Share