ଧର୍ମଶାଳା,୬ା୧୦(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ସାମନାକୁ ଆସିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଡକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ତାଙ୍କୁ ଟ୍ରଲିରେ ନିଆଯାଇଛି। ସମ୍ପୃକ୍ତ ମହିଳା ହେଲେ ରସୁଲପୁର ବ୍ଲକ ପ୍ରଥମଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମର ଈଶ୍ୱର ମଳିକଙ୍କ ସ୍ତ୍ରୀ ଚଗଲି ମଳିକ। ତାଙ୍କୁ ଅତ୍ୟଧିକ ଜ୍ୱର ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନେବାକୁ ତାଙ୍କ ସ୍ବାମୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ତେଣୁ ବାଧ୍ୟହୋଇ ଈଶ୍ୱର ନିଜ ଟ୍ରଲିରେ ଚଗଲିଙ୍କୁ ଶୁଆଇ ୬ କିଲୋମିଟର ରାସ୍ତା ଅତିକ୍ରମ କରି ଧର୍ମଶାଳା ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇଥିଲେ। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।