ମୋତେ ମାରିବାକୁ ଉଦ୍ୟମ ହୋଇଥିଲା: ଜୟନାରାୟଣ

ସମ୍ବଲପୁର,୧୭ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୁଳି କରି ହତ୍ୟା କରିଥିଲେ। କେବଳ ନବ ଦାସ ନୁହନ୍ତି, ରାଜ୍ୟରେ ଘଟିଥିବା ଅନେକ ହତ୍ୟା ଘଟଣାରେ ବିଜେଡିର ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ରହିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ସମାଲୋଚନା କରିଥିଲି। ସିବିଆଇ ତଦନ୍ତ ଦାବି କରିବା ପରେ ମୋତେ ସରକାର ଟାର୍ଗେଟ କରିଛନ୍ତି। ନବଙ୍କୁ ଯେଭଳି ପୋଲିସ ଲଗାଇ ହତ୍ୟା କଲେ, ସେଭଳି ବୁଧବାର ଜଣେ ମହିଳା ଥାନା ଅଧିକାରୀଙ୍କୁ ନିୟୋଜିତ କରି ହତ୍ୟା ଯୋଜନା କରିଥିଲେ। ତାହା ହୋଇ ନ ପାରିବାରୁ ଗୁରୁବାର ସମ୍ବଲପୁର ସର୍କିଟ ହାଉସରେ ଶତାଧିକ ବିଜେଡି କର୍ମୀ ଓ ଗୁଣ୍ଡା ପଶି ମାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ସୌଭାଗ୍ୟବଶତଃ ସେମାନେ ଆସିବା ପୂର୍ବରୁ ମୁ ସର୍କିଟ ହାଉସ ଛାଡି ଭାଜପା କାର୍ଯ୍ୟାଳୟକୁ ଚାଲିଆସିଥିଲି। ଫଳରେ ମୋ ଜୀବନ ବଞ୍ଚତ୍ଗଲା ବୋଲି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟରେ ବିଜେଡି ସରକାର ଚାଲିଛି। ମୁଁ ବିରୋଧୀ ଦଳ ନେତା। ଏତେ ମହିଳାପୁରୁଷ ଏକାଠି ହୋଇ ମୋ ପାଖକୁ ଆସିବାର ଆବଶ୍ୟକତା ନାହିଁ। ମୋତେ ଗିରଫ କରିବା ସହ ଇସ୍ତଫା ଦେବାକୁ ସେମାନେ ଦାବି କରୁଛନ୍ତି। ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରନ୍ତୁ। ରାଜ୍ୟ ପୋଲିସ ଓ ପ୍ରଶାସନ ଉପରେ ଭରସା ନାହିଁ। ତେଣୁ ନ୍ୟାୟ ପାଇଁ ଭାଜପା ଜନତାଙ୍କ ପାଖକୁ ଯିବ। ସେମାନେ ନ୍ୟାୟ ପ୍ରଦାନ କରିବେ। ଥାନା ଅଧିକାରୀଙ୍କୁ ମୁଁ ମାଡ଼ ମାରିନି। ସେ ମୋ ପାଖକୁ ଆସି ଅଯଥାରେ ଯୁକ୍ତି କରି ହାତ ଉଠାଇଥିଲେ। ଜଣେ ବିରୋଧୀ ଦଳ ନେତାଙ୍କୁ ସର୍ବସମ୍ମୁଖରେ ମହିଳା ପୋଲିସ ହାତ ଉଠାଇବା କେତେ ଗଣତାନ୍ତ୍ରିକ। ଆଜି ବିଜେଡି କର୍ମୀମାନେ ଯେଭଳିି ହତ୍ୟା ଉଦ୍ୟମ କଲେ ତାହାକୁ ଓଡ଼ିଶାବାସୀ ଦେଖିଛନ୍ତି। ସରକାରରେ ଥାଇ ସରକାରୀ ସମ୍ପତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି। ଏହାକୁ ନେଇ କାହା ପାଖରେ ଅଭିଯୋଗ କରିବାର ନାହିଁ। ପୋଲିସ ସରକାରୀ କଳକୁ ନେଇ କାମ କରୁଛି। ଭାଜପା ପକ୍ଷରୁ ବୁଧବାର ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ପୋଲିସ ମାମଲାକୁ ଏ ପର୍ଯ୍ୟନ୍ତ ପଞ୍ଜୀକୃତ କରିନାହିଁ। ଏହାକୁ ନେଇ କୋର୍ଟକୁ ଯିବୁ ବୋଲି ଜୟନାରାୟଣ କହିଛନ୍ତି।
ଭୁବନେଶ୍ୱରଠାରେ ଅରୂପ ପଟ୍ଟନାୟକ ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ଜୟନାରାୟଣ କହିଛନ୍ତି ଯେ, ମୁମ୍ବାଇ ପୋଲିସ କମିଶନର ଥିବାବେଳେ ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟଧାରା ବିଷୟରେ ସମସ୍ତେ ଜାଣିଛନ୍ତି। ବାଂଲାଦେଶୀମାନଙ୍କ ଗୋଟିଏ ଆନ୍ଦୋଳନ ସମୟରେ ତାଙ୍କର ଭୂମିକା କ’ଣ ଥିଲା ଦେଶବାସୀ ଜାଣିଛନ୍ତି। ସେ କେତେ ଦମ୍‌ଦାର ଲୋକ ସମସ୍ତେ ଜାଣନ୍ତି। ଉକ୍ତ ଘଟଣାରେ ତାଙ୍କୁ ତଡ଼ା ଖାଇବାକୁ ପଡ଼ିଥିଲା ବୋଲି ଜୟନାରାୟଣ କହିଛନ୍ତି।

Share