ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୫୬ ହଜାର ୧୯୦ ଟଙ୍କା ସହ ୧୨ଟି ମୋଟରସାଇକଲ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇଆସି ରମେଶ କୁମାର ପ୍ରଧାନ କହିଛନ୍ତି।

ପ୍ରକାଶ ଯେ,ପାର୍ବଣ ଆସିଲେ ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଜୁଆଆଡ୍ଡା ବେଧଡ଼କ ଭାବେ ଚାଲିଥାଏ। ଏଭଳି ଘଟଣା ଥାନା ନିକଟସ୍ଥ କିଲାବାଡ଼ି ଗାଁ ନିକଟ ଏକ ଜଙ୍ଗଲରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଗାଡ଼ି ଦେଖି କିଛି ଜୁଆ ଖେଳାଳି ଦୌଡ଼ି ଫେରାର ହେବାରେ ସଫଳ ହୋଇଥିବା ବେଳେ ୧୩ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଆଇଆଇଆସି କହିଛନ୍ତି।

Share