ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ରବିବାର ଶେଷ ହୋଇଛି। କମିଶନରେଟ ପୋଲିସର ଜେରାବେଳେ ଆକାଶ ଠକେଇ ସଂକ୍ରାନ୍ତ ବହୁ ସତ ସ୍ବୀକାର କରିଛନ୍ତି। ତେବେ ଏହି ଜେରାରୁ ପୋଲିସ ତଥ୍ୟ ପ୍ରମାଣ ହାସଲ କରିବାରେ ସଫଳ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଡିସିପି ଦାସ ଆକାଶଙ୍କୁ ସ୍କାଏ କିଙ୍ଗ ସଂସ୍ଥାକୁ ଠକେଇ ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଜେରା କରିଥିଲେ। ଆକାଶ ପ୍ରଥମେ ଚୁପ୍‌ ରହିଥିଲେ ମଧ୍ୟ ପରେ ମୁହଁ ଖୋଳି ସବୁକଥା କହିଥିଲେ। ଟାଟା ମୋଟର୍ସର ଏମ୍‌ଡି ନ ଥିବା ସ୍ବୀକାର କରିବା ସହ ହୋଟେଲ ଓ ଚାର୍ଟର ଫ୍ଲାଇଟ୍‌ ବୁକ୍‌ ପାଇଁ ସ୍କାଇ କିଙ୍ଗ୍‌ ସଂସ୍ଥାକୁ ଜାଲ୍‌ ପ୍ରମାଣପତ୍ର ଦେଇଛନ୍ତି। ଏଥିସହ ଉକ୍ତ ସଂସ୍ଥାର ଟଙ୍କା ବକେୟା ରଖିଥିବା ଆକାଶ କହିଥିଲେ। ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋର୍ଟରେ ହାଜର କରାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଆକାଶଙ୍କ ବାପା ତଥା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ। ଉଭୟ ଅଭୟ ଓ ଆକାଶ ପଞ୍ଚତାରକା ହୋଟେଲରେ ରହିବା ସହ ଚାର୍ଟର ଫ୍ଲାଟ୍‌ରେ ରାଜ୍ୟ ବାହାରକୁ ଯିବାଆସିବା କରୁଥିଲେ। ତେବେ ସ୍କାଏ କିଙ୍ଗ୍‌ ସଂସ୍ଥାରେ ଆକାଶ ଏଥିପାଇଁ ବୁକିଂ କରିଥିଲେ। ସେବା ବାବଦକୁ ଉକ୍ତ ସଂସ୍ଥାକୁ ଆକାଶ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନ ଦେଇ ଠକି ଚାଲିଥିଲେ। ବାପପୁଅ ଗିରଫ ହେବା ପରେ ଖାରବେଳନଗର ଥାନାରେ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ। ପୋଲିସ ୨୯୩/୨୦ରେ ମାମଲା ରୁଜୁ ହୋଇଥିଲା। ଆକାଶଙ୍କ ବିରୋଧରେ ଜାଲିଆତି ଓ ଚାକିରି ଦେବା ନାଁରେ ଠକେଇ ମାମଲା ରହିଛି। ଅନ୍ୟପକ୍ଷରେ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ କ୍ରାଇମବ୍ରାଞ୍ଚର ଜେରାର ସମ୍ମୁଖୀନ ହୋଇଛନ୍ତି।

Share