ପୁରୀ ଅଫିସ,୧।୭-ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନିଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ଶେଷ ହୋଇଛି ବାହୁଡା ଯାତ୍ରା। ସେବାୟତମାନେ ତିନି ରଥରେ ତିନି ଠାକୁରଙ୍କୁ ଟାଣି ଟାଣି ଆଣିଥିଲେ। ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ସେବାୟତମାନେ ଟାଣି ଥିଲେ। ଏହାର ପ୍ରାୟ ଘଣ୍ଟାଏ ପରେ ଦେବୀ ସୁଭଦ୍ରା ଏବଂ ତା’ର ଘଣ୍ଟାକ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଗଡ଼ିଥିଲା।
ସୂଚନାଯୋଗ୍ୟ, ପବିତ୍ର ବାହୁଡା ଯାତ୍ରା ଅବସରରେ ବୁଧବାର ପୂର୍ବାହ୍ନ ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରୁ ଶରଧାବାଲିରେ ଦଣ୍ଡାୟମାନ ତିନିରଥ ଉପରକୁ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ତିନି ଠାକୁରଙ୍କର ପହଣ୍ଡି ଶେଷ ହେବା ପରେ ସେମାନଙ୍କୁ ରଥାରୁଢ କରାଯାଇଥିଲା। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।