Categories: ଜାତୀୟ

କଶ୍ମୀର, ଲଦାଖରେ ହେବ ୩୧ ଟନେଲ

ଗୁଲ୍‌ମାର୍ଗ, ୨୯।୯: କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଜୋଜିଳା ଗିରିପଥରେ ଏସିଆର ଦୀର୍ଘତମ ଟନେଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ ୫୨ କିଲୋମିଟର ଦୂରତା ମଧ୍ୟରେ ୩୧ ଟନେଲ ନିର୍ମାଣ ହେବ ବୋଲି ଏହି ଅବସରରେ ଗଡ଼କରୀ ଘୋଷଣା କରିଛନ୍ତି। ଏହି ଟନେଲଗୁଡ଼ିକର କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ସର୍ବବୃହତ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ୧୪.୪ କିଲୋମିଟର ଦୀର୍ଘ ଜୋଜିଲା ଟନେଲ ୨୦୨୩ରେ ଶେଷ କରିବାକୁ ସେ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟନେଲ ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜପଥକୁ ସଂଯୋଗ କରିବ ଏବଂ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ। ଏବେ ଏହି ଦୂରତା ଅତିକ୍ରମ କରିବାକୁ ଦେଢ଼ ଘଣ୍ଟା ସମୟ ଲାଗୁଥିବାବେଳେ ଜୋଜିଲା ଟନେଲ ସମ୍ପୂର୍ଣ୍ଣ ହେଲେ ୧୫ ମିନିଟ ଲାଗିବ। ଉକ୍ତ ଟନେଲଗୁଡ଼ିକ ସ୍ଥାନୀୟ ଅର୍ଥନୀତି ଓ ନିଯୁକ୍ତି ସୁଯୋଗ ବଢ଼ାଇବ ବୋଲି ଗଡ଼କରୀ କହିଛନ୍ତି। ୧.୪ ଲକ୍ଷ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ୩୧ଟି ଟନେଲ କାର୍ଯ୍ୟ ୨ ବର୍ଷରେ ଶେଷ ହେବ। ଜମ୍ମୁ-କଶ୍ମୀରର ୩୨ କିଲୋମିଟର ମଧ୍ୟରେ ୨୦ଟି ଏବଂ ଳଦାଖର ୨୦ କିଲୋମିଟର ମଧ୍ୟରେ ୧୧ଟି ଟନେଲ ରହିବ।

Share