ଯାଜପୁର ଅଫିସ,୧୩।୪: ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ଜିଲା ସଂସ୍କୃତି ଭବନ ପରିଷଦ ଅଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରି ସଂସ୍କୃତିର ବିକାଶ, ସାଂସ୍କୃତିକ ସ୍ଥଳର ବିକାଶ ଓ କଳାକାରଙ୍କ ଉନ୍ନତି ପାଇଁ ସଂସ୍କୃତି ପରିଷଦ କାର୍ଯ୍ୟକରି ଚାଲିଥିବ ବୋଲି କହିଥିଲେ। କରୋନା ପାଇଁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସଂସ୍କୃତି ପରିଷଦର କୌଣସି କାର୍ଯ୍ୟକ୍ରମ ହୋଇପାରି ନାହିଁ। ତେଣୁ ବର୍ତ୍ତମାନ ଏହି ପରିଷଦକୁ ଆଉ ଗୋଟିଏ ଅବଧି ବୃଦ୍ଧି କରିବା ସହ ସଂସ୍କୃତିକୁ ଆଗେଇନେବାକୁ ସେ ବିବିଧ ପ୍ରସ୍ତାବ ଦେଇଥିଲେ। ସହରର ଗୌତମ ବୁଦ୍ଧ ସଂସ୍କୃତି ଭବନ ଓ ଯାଜପୁର ରୋଡ୍ ସଂସ୍କୃତି ଭବନଠାରେ ପ୍ରତି ସପ୍ତାହରେ ନୃତ୍ୟ, ଗୀତ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ କରାଯିବ ା ଏଥିପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ତେବେ ଏଯାଏ ଯାଜପୁରରୋଡ୍ ସଂସ୍କୃତି ଭବନ ଉଦ୍ଘାଟନ ହୋଇ ନ ଥିବା ବେଳେ କିଭଳି ସେଠାରେ କାର୍ଯ୍ୟକ୍ରମ ଆରମ୍ଭ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗତ ୨ ବର୍ଷ ହେବ ସଂସ୍କୃତି ଭବନ କାମ ପ୍ରାୟ ଶେଷ ହୋଇଛି। କିନ୍ତୁ କେଉଁ କାରଣରୁ ସେହି ଭବନର ଉଦ୍ଘାଟନ କରାଯାଉନାହିଁ ତାହା ଆଲୋଚନାର ବିଷୟ ହୋଇଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଳ୍ିକ, ଜିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍ିକ ଯଯାତି ପୁସ୍ତକ ପ୍ରକାଶନକୁ ତ୍ୱରାନ୍ବିତ କରାଯିବା ସହ ଆଗାମୀ ୨ ମାସ ମଧ୍ୟରେ ପୁସ୍ତକ କାର୍ଯ୍ୟ ସମାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରେଖା ପ୍ରଧାନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ, ଜିଲା ସାମାଜିକ ଓ ସାଂସ୍କୃତିକ ପ୍ରଚାରକ ଅଶ୍ୱିନୀ କୁମାର ସାହୁ, ସଦସ୍ୟ ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରିୟରଞ୍ଜନ କର, ବାଇଧର ମାଝି, ସନ୍ତୋଷ କୁମାର ମଲ୍ଳ୍ିକ, ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।