କଟକ ଅଫିସ,୨୫ା୧୧: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ପ୍ରଥମଥର ସହରବାସୀଙ୍କ ପାଇଁ ମଲ୍ଟିପର୍ପସିଂ ପାର୍କ ନିର୍ମାଣ ହେବ। ଜୁଡିସିଆଲ ଏକାଡେମୀ ନେତାଜୀ ସେତୁ ନିକଟରେ ଏହି ପାର୍କ ନିର୍ମାଣ କରିବାକୁ ସିଏମ୍ସି ଯୋଜନା ପ୍ରସ୍ତୁତ କରିଛି। ଏଥିରେ ଫୁଡ୍ କୋର୍ଟ ବ୍ୟବସ୍ଥା ସହ ପାର୍କର ମଧ୍ୟଭାଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ପ୍ରାୟ ସ୍ମାର୍ଟ ପାର୍କ ଢଞ୍ଚାରେ ଏହାକୁ ନିର୍ମାଣ କରାଯିବ। ଏଥିରେ ବ୍ୟାୟାମ କେନ୍ଦ୍ର, ମୁକ୍ତାକାଶ ମଞ୍ଚ, ମୁକ୍ତାକାଶ ପାଠାଗାର ସହ ବିଭିନ୍ନ ଖେଳ ଉପକରଣ ବ୍ୟବସ୍ଥା ପାଇଁ ଯୋଜନା ରହିଛି। ପାର୍କ ଜଗିବା ପାଇଁ ସୁରକ୍ଷା କର୍ମୀ ଏବଂ ତାଙ୍କ ପାଇଁ ଏକ ରୁମ୍ ବ୍ୟବସ୍ଥା କରାଯିବ। ଏହି ପାର୍କରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପାଇଁ ମନୋରଞ୍ଜନ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ ୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଖୁବ୍ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ସିଏମ୍ସି ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ସିଏମ୍ସି ମେୟର ସୁବାସ ସିଂ କହିଛନ୍ତି, କଟକ ନୂଆ ରୂପରେଖ ପାଉଛି। ଏହି ପାର୍କରେ ଫୁଡ୍ କୋର୍ଟ ସହ ସବୁ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।