ନୂଆଦିଲ୍ଲୀ,୧୩।୧: କିନ୍ନରମାନଙ୍କ ଅଧିକାରକୁ ସ୍ବୀକୃତି ସ୍ବରୂପ ସେମାନଙ୍କ ଲାଗି ଜେଲରେ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ଶୋଷଣରୁ ସେମାନଙ୍କୁ ସୁରକ୍ଷା ଲାଗି କିନ୍ନର ବନ୍ଦୀଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ସେହିପରି କିନ୍ନର ବନ୍ଦୀମାନଙ୍କୁ ସେମାନେ ପସନ୍ଦ କରୁଥିବା ଲିଙ୍ଗର ବ୍ୟକ୍ତି କିମ୍ବା ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଯାଞ୍ଚ କରାଯିବାକୁ ମଧ୍ୟ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ପୋଲିସ ମୁଖ୍ୟଙ୍କୁ ପତ୍ର ଲେଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଟ୍ରାନ୍ସ ମେନ୍ ଏବଂ ଟ୍ରାନ୍ସ ଓ୍ବିମେନ୍ ବନ୍ଦୀଙ୍କ ପାଇଁ ଅଲଗା ଅଲଗା ପ୍ରକୋଷ୍ଠ କରିବା ଲାଗି କହିଛି। କିନ୍ନରମାନଙ୍କ ଗୋପନୀୟତା ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ପାଇଖାନା ଓ ଗାଧୁଆଘର ସୁବିଧା କରାଇବାକୁ ମନ୍ତ୍ରଣାଳୟ କହିଛି।