କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ ଏପର୍ଯ୍ୟନ୍ତ ସାମ୍ନା କରି ନାହିଁ। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ହାରାହାରି ୫ ପ୍ରତିଶତରୁ ଅଧିକ ଭୟଙ୍କର ରୂପର ସମ୍ମୁଖୀନ ହୋଇଛେ। ତେବେ ପୁଣି ଅଧିକ ସଂକ୍ରାମକ ଏବଂ ଅଧିକ ମାରାତ୍ମକ କରୋନା ଭାରିଆଣ୍ଟ୍‌ ଆସିବା ଏବେ ବାକି ରହିଛି।

ଏବେ ବି କରୋନାର ଭୟଙ୍କର ରୂପ ଆସିବା ବାକି ରହିଛି ବୋଲି ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ। ଆଗାମୀ ଦିନରେ ଏହା ଆସିବାର ଆଶଙ୍କା ରହିଛି।

ଏହା ପୂର୍ବରୁ ମଧ୍ୟ ବିଲ ଗେଟ୍‌ସ ଏଭଳି ଚେତାବନୀ ଦେଇଥିଲେ। ଡିସେମ୍ବର ୨୦୨୧ ରେ, ବିଲ ଗେଟ୍‌ସ ଚେତାବନୀ ଦେଇଥିଲେ ଯେ କରୋନା ମହାମାରୀର ଖରାପ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ କହିଥିଲେ ଯେ ୨୦୧୫ ମସିହାରେ ମୁଁ ଚେତାବନୀ ଦେଇଥିଲି ଯେ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ।

ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ବିଲ ଗେଟ୍‌ସ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ଏହି ମହାମାରୀର ବିପଦ ମଧ୍ୟରେ ରହିଛେ। ଏହାର ଏକ ନୂତନ ଭାରିଆଣ୍ଟ୍‌ ଅଧିକ ସଂକ୍ରାମକ ଏବଂ ସାଂଘାତିକ ହେବାର ଆଶଙ୍କା ରହିଛି।

ବିଲ ଗେଟ୍‌ସ କହିଛନ୍ତି ଯେ ସେ ଦୁନିଆକୁ ଭୟଭୀତ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ଏପର୍ଯ୍ୟନ୍ତ ଆମେ କରୋନାର ସବୁଠାରୁ ଖରାପ ପର୍ଯ୍ୟାୟର ସମ୍ମୁଖୀନ ହୋଇନାହୁଁ। କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ ଠାରୁ ପୃଥିବୀରେ ପ୍ରାୟ ୬୨ ଲକ୍ଷ ଲୋକଙ୍କ ମୃତୂ୍ୟ ଘଟିଛି। ତେବେ କିଛି ଦିନ ଧରି ମୋଟ ସକ୍ରିୟ ମାମଲା ଏବଂ ମୃତୂ୍ୟ ସଂଖ୍ୟାରେ ହ୍ରାସ ଘଟିଛି। ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାବନୀ ଦେଇଥିଲେ ଯେ ଲୋକମାନେ କରୋନା ନେଇ ସତର୍କ ରହିବା ଜରୁରୀ। ସେ କହିଥିଲେ ଯେ ଅନେକ ଦେଶରେ ପରୀକ୍ଷଣରେ ହ୍ରାସ ଘଟିଛି, ଯେଉଁ କାରଣରୁ କରୋନା ପୁନର୍ବାର ଆତଙ୍କ ସୃଷ୍ଟିକରିବାର ଆଶଙ୍କା ରହିଛି ବୋଲି ସେ ସତର୍କ ସୂଚନା ଦେଇଛନ୍ତି।

Share