Categories: ଜାତୀୟ

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି କୋଇଲାର ଷ୍ଟାଟେଜିକ୍‌ ରିଜର୍ଭ (ଜରୁରୀ ସମୟରେ ବ୍ୟବହାର ପାଇଁ ଭଣ୍ଡାର) ନିର୍ମାଣ ନିମନ୍ତେ ବିଚାର କରୁଛନ୍ତି। ଶକ୍ତି ସଚିବ ଆଲୋକ କୁମାର ଗୁରୁବାର ଏହି ସୂଚନା ଦେଇଛନ୍ତି। ଦେଶରେ ବିଦ୍ୟୁତ୍‌ ଚାହିଦା ବଢ଼ିଥିବାବେଳେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। କୋଲ୍‌ ଇଣ୍ଡିଆ ରେକର୍ଡ ପରିମାଣରେ କୋଇଲା ଯୋଗାଣ କରୁଥିଲେ ମଧ୍ୟ ଦେଶର ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ରରେ ଯଥେଷ୍ଟ କୋଇଲା ଗଚ୍ଛିତ ନ ଥିବାରୁ ଅଧିକ ସମୟ ପାଓ୍ବାର କଟ୍‌ ହେଉଛି। କୋଇଲା ଓ ପ୍ରାକୃତିକ ଗ୍ୟାସ ରପ୍ତାନିକାରୀ ଦେଶଗୁଡ଼ିକ ନିଜର ବର୍ଦ୍ଧିତ ଚାହିଦା ପୂରଣ ଉପରେ ପ୍ରାଥମିକତା ଦେଉଛନ୍ତି। ଉଦାହରଣ ସ୍ବରୂପ ରୁଷିଆରେ ଅଧିକ ଗ୍ୟାସ୍‌ ଆବଶ୍ୟକ ପଡ଼ୁଥିବାରୁ ଏହା ୟୁରୋପୀୟ ଦେଶକୁ ଯୋଗାଣ କମାଇ ଦେଇଛି। ତେଣୁ ଭବିଷ୍ୟତରେ ଯୋଗାଣ ବାଧାପ୍ରାପ୍ତ ହେଲେ ଜରୁରୀ ସମୟ ପାଇଁ ମାସେ କିମ୍ବା ଅଧିକ ଦିନ ଗ୍ୟାସ୍‌ ଓ ଆମଦାନୀ କୋଇଲା ମହଜୁଦ ରଖିବା ନିମନ୍ତେ ଜରୁରୀ ଭଣ୍ଡାର ସ୍ଥାପନ ଉପରେ ଚିନ୍ତା କରାଯାଉଛି ବୋଲି ଶକ୍ତି ସଚିବ ଦକ୍ଷିଣ ଏସିଆ ଶକ୍ତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ବିଦ୍ୟୁତ ଉତ୍ପାଦନର ୭୦ ପ୍ରତିଶତ କୋଇଲାରୁ ମିଳୁଥିବାବେଳେ ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ରରେ ୩ ଦିନ କିମ୍ବା ଏହାଠାରୁ କମ୍‌ ପାଇଁ ଇନ୍ଧନ ଗଚ୍ଛିତ ଥିବା ଜଣାପଡ଼ିଛି।

Share