ନୂଆଦିଲ୍ଲୀ,୮।୧୧: ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। କୃତ୍ରିମ ବର୍ଷା ସମ୍ପର୍କରେ ଦିଲ୍ଲୀ ସରକାର ଆଇଆଇଟି କାନପୁରରୁ ବିସ୍ତୃତ ପ୍ରସ୍ତାବ ଲୋଡିଛନ୍ତି। ଦିଲ୍ଲୀ ସରକାର ଆଇଆଇଟି କାନପୁରରୁ ପ୍ରାପ୍ତ ପ୍ରସ୍ତାବକୁ ଶୁକ୍ରବାର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ ଏବଂ ପ୍ରଦୂଷଣର ମୁକାବିଲା ପାଇଁ କୃତ୍ରିମ ବର୍ଷା ବିକଳ୍ପ ଉପରେ ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି କହିବେ।
ଯଦି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦିଅନ୍ତି, ତେବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଦିଲ୍ଲୀ ସରକାର ଅନୁମତି ନେବା ପ୍ରକ୍ରିୟା ଆରମ୍ଭ କରିବେ। ଯଦି ଅନୁମତି ମିଳିବ ତେବେ ୨୦ ଏବଂ ୨୧ ନଭେମ୍ବରରେ କୃତ୍ରିମ ବର୍ଷା କରାଯିବ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଆତିଷି ଆଇଆଇଟି କାନପୁର ଦଳ ସହ ଏକ ବୈଠକ କରି ଗୁରୁବାର କୃତ୍ରିମ ବର୍ଷାର ପରିଚାଳନା ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି।