Advertisement

ମହାନଦୀରେ ସ୍ନାନ ପାଇଁ ହେବ ବ୍ୟାରିକେଡ୍‌

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଜିଲାପାଳଙ୍କ ମିନି କନ୍‌ଫରେନ୍ସ ହଲ୍‌ରେ ଖଣ୍ଡପଡ଼ା ବ୍ଲ୍ଳକର କଣ୍ଟିଲୋ ଶ୍ରୀନୀଳମାଧବ ଜୀଉ ବିଜେଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୬ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରଭୁ ନୀଳମାଧବ ଜୀଉ ବିଜେଙ୍କର ମହାନଦୀ ଘାଟରେ ବାରୁଣୀ ସ୍ନାନ ଦେବନୀତି ଅନୁଷ୍ଠିତ ହେବ। ଏଥିରେ ନୟାଗଡ଼ ଜିଲା ତଥା ରାଜ୍ୟର ବିଭିନ୍ନସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ, ଭକ୍ତ ସ୍ନାନ ଯାତ୍ରାରେ ଯୋଗ ଦେବେ। ଏହି ଅବସରରେ ଜିଲାପାଳ ସ୍ବଧା ଦେବ ସିଂ ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଆରକ୍ଷୀ ବିଭାଗ, ନଦୀ ଗର୍ଭରେ ଭକ୍ତମାନଙ୍କ ସୁରକ୍ଷିତ ସ୍ନାନ ନିମନ୍ତେ ବ୍ୟାରିକେଡ୍‌ ନିର୍ମାଣ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ନଦୀ ମଧ୍ୟକୁ ଭକ୍ତମାନଙ୍କ ଯିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଜଳସମ୍ପଦ ବିଭାଗ ସହ ଆଲୋଚନା କରିଥିଲେ। ଯାତ୍ରା ସ୍ଥଳରେ ପଲିଥିନ ପ୍ୟାକେଟ୍‌ ପାଣି ବ୍ୟବହାର କରିବାକୁ ନିଷେଧ କରାଯାଇଛି। ସେହିପରି ନଦୀ ମଧ୍ୟରେ ଆକସ୍ମିକ ଦୁର୍ଘଟଣା ପ୍ରତିହତ ପାଇଁ ଡଙ୍ଗା ଓ ଟିଉବ୍‌ ନିୟୋଜନ ନିମନ୍ତେ ଅଗ୍ନିଶମ ବିଭାଗ, ପ୍ରାଥମିକ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ, ଶାନ୍ତି ଶୃଙ୍ଖଳାରେ ପୋଲିସ ବାହିନୀକୁ ସହଯୋଗ କରିବାକୁ କଣ୍ଟିଲୋ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଏବଂ ଯୁବ ରେଡ୍‌କ୍ରସର ଛାତ୍ରୀଛାତ୍ରମାନଙ୍କୁ ପ୍ରେରଣ ନିମନ୍ତେ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି। ଜନସମାଗମକୁ ଦୃଷ୍ଟିରେ ରଖି ଏକ ସୂଚନା କେନ୍ଦ୍ର ଖୋଲାଯିବା ପାଇଁ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ଥାୟୀ ଶୌଚାଳୟ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀ ଦେବେତ୍ତର ବିଭାଗର କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଖଣ୍ଡପଡ଼ାର ଧୋବେଇ ନାୟକ ପ୍ରମୁଖଙ୍କ ସହ ବିଭିନ୍ନ ଲାଇନ ବିଭାଗ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share