ପଥଚାରୀଙ୍କ ପାଇଁ ରାଜ୍ୟ, ଜାତୀୟ ରାଜପଥରେ ହେବ ସ୍ବତନ୍ତ୍ର ଟ୍ରାକ୍‌

ଭୁବନେଶ୍ବର,୧୬ା୯(ବ୍ୟୁରୋ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ବତନ୍ତ୍ର ଟ୍ରାକ୍‌, ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାକ୍‌ ରହିବ। ହେଲେ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡ଼କରେ ଏଭଳି ଡିଜାଇନ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍‌ ଆକ୍ଟ ୧୯୯୩ରେ ସଂଶୋଧନକରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିଛି। ଜାତୀୟ ଓ ରାଜ୍ୟ ରାଜପଥରେ ପଥଚାରୀ ଏବଂ ସାଇକେଲ ଚାଳକ ଯାଉଥିବାରୁ ଅଧିକାଂଶ ସମୟରେ ଭିଡ଼ ହେଉଛି। ଏହାଛଡ଼ା ଯାନବାହନର ଦ୍ରୁତଗତି ଯୋଗୁ ପଥଚାରୀ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହାକୁ ରୋକିବା ଲାଗି ପରିବହନ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତକରି ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ପାଖକୁ ମତାମତ ପାଇଁ ପଠାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଯେଉଁସବୁ ସ୍ଥାନରେ ନୂଆ ରାସ୍ତା ହେବ, ସେଠାରେ ଠିକାଦାର ପଥଚାରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ କରିବେ। ଡିଜାଇନରେ ରାସ୍ତା ତିଆରି କରିବେ, ନଚେତ୍‌ ପ୍ରକଳ୍ପ ମୂଲ୍ୟର ଏକ ପ୍ରତିଶତକୁ ଫାଇନ ଆକାରରେ କଟାଯାଇ ରୋଡ୍‌ ସେଫ୍‌ଟି ଫଣ୍ଡରେ ଜମା କରାଯିବ ବୋଲି ଡ୍ରାଫ୍ଟ ପଲିସିରେ କୁହାଯାଇଛି। ସେହିପରି ଜାତୀୟ ରାଜପଥରେ ପ୍ରତି ୨ କିଲୋମିଟର ବ୍ୟବଧାନରେ ପଥଚାରୀ ରାସ୍ତା ପାରହେବା ଲାଗି ଫୁଟ୍‌ ଓଭରବ୍ରିଜ୍‌, ସବ୍‌ଓ୍ବେ ଓ କ୍ରସ୍‌ ୱେର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଭଳି ଯୋଜନାକୁ ସଡ଼କ ସୁରକ୍ଷା କର୍ମୀ ସ୍ବାଗତ କରିଥିବା ବେଳେ ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ ବଡ଼ ଚାଲେଞ୍ଜ ହେବ ବୋଲି ମତ ରଖିଛନ୍ତି। ତେବେ ଏ ନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ। ରାଜ୍ୟର ପ୍ରତି ସ୍ଥାନରେ ସଡ଼କ ପରିବହନଜନିତ ତ୍ରୁଟି ପାଇଁ ଅକାଳରେ ହଜାର ହଜାର ଲୋକଙ୍କ ଦୁର୍ଘଟଣାରେ ପ୍ରାଣ ଯାଉଛି। କେଉଁଠି ରାସ୍ତା ଉପରେ ପାର୍କିଂ ତ ଆଉ କେଉଁଠି ସାଇକେଲ ଟ୍ରାକ୍‌ରେ ବାଇକ୍‌ ଗଡୁଛି। ରଙ୍ଗ୍‌ ଡ୍ରାଇଭ୍‌ ମଧ୍ୟ ପ୍ରାଣଘାତୀ ସାବ୍ୟସ୍ତ ହେଉଛି। ରାଜ୍ୟରେ ଯଥେଷ୍ଟ ଫୁଟ୍‌ ଓଭର ବ୍ରିଜ୍‌ ଯଦିଓ ନାହିଁ, ଯେଉଁସବୁ ସ୍ଥାନରେ ଅଛି ସେଠାରେ ଲୋକ ସେତେଟା ବ୍ୟବହାର କରୁନାହାନ୍ତି। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍‌ ମଧ୍ୟ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଥିବା ଆଲୋଚନା ହେଉଛି।