ଉଭେଇଯିବ ବୃହତ୍‌ ହିମବାହ

ଓ୍ବାଶିଂଟନ,୪ା୧୧:ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଆମେରିକାର ୟଲୋଷ୍ଟୋନ୍‌ ପାର୍କ୍ସ, ଇଟାଲୀର ଡୋଲୋମାଇଟ୍ସ ଏବଂ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ ସମେତ ବିଶ୍ୱର ଅନେକ ପ୍ରସିଦ୍ଧ ହିମବାହ ୨୦୫୦ ସୁଦ୍ଧା ତରଳିଯିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ରିପୋର୍ଟ ଅନୁସାରେ ୫୦ ବିଶ୍ୱ ଐତିହ୍ୟ ସ୍ଥଳରେ ଥିବା ପ୍ରାୟ ୧୮,୬୦୦ ଗ୍ରେସିୟର୍ସ ମଧ୍ୟରୁ ଏକତୃତୀୟାଂଶ ୨୦୫୦ ସୁଦ୍ଧା ଉଭାନ ହୋଇଯିବ। ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହିଟ୍‌) ମଧ୍ୟରେ ସୀମିତ ରଖାଯାଇପାରିଲେ ଅବଶିଷ୍ଟ ହିମବାହଗୁଡ଼ିକୁ ରକ୍ଷା କରାଯାଇପାରିବ। ଏହାସତ୍ତ୍ୱେ ୫୦% ଓ୍ବାଲର୍‌ଡ ହେରିଟେଜ୍‌ ଗ୍ଲେସିୟର୍ସ ୨୧୦୦ ସୁଦ୍ଧା ତରଳିଯିବା ଆଶଙ୍କା ଉପୁଜିଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୦୦ ମସିହା ପରଠାରୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ଯୋଗୁ ଏହି ହିମବାହଗୁଡ଼ିକର ତରଳିବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଅଧ୍ୟୟନର ନେତୃତ୍ୱ ନେଇଥିବା ଗବେଷକ ଟେଲ୍ସ କାର୍ଭାଲ୍‌ହୋ କହିଛନ୍ତି, ପ୍ରତିବର୍ଷ ବିଶ୍ୱ ଐତିହ୍ୟ ହିମବାହଗୁଡ଼ିକରୁ ୫୮ ବିଲିୟନ୍‌ ଟନ୍‌ ବରଫ ତରଳୁଛି। ଏହାର ପରିମାଣ ଫ୍ରାନ୍ସ ଓ ସ୍ପେନ୍‌ରେ ବ୍ୟବହୃତ ପାଣି ସହ ସମାନ, ଯାହାକି ସମୁଦ୍ର ପତ୍ତନ ବୃଦ୍ଧି ପାଇଁ ୫% ଦାୟୀ। ତେଣୁ କାର୍ବନ ଉତ୍ସର୍ଜନକୁ ରୋକିବା ଦିଗରେ ଆଖିଦୃଶିଆ ପଦକ୍ଷେପ ନେବାକୁ ପଡ଼ିବ ବୋଲି କୋପ୍‌୨୭ ସମ୍ମିଳନୀ ପୂର୍ବରୁ ସେ ସତର୍କ କରାଇଛନ୍ତି।

Share