ଭୁବନେଶ୍ୱର,୨୧ା୬(ବ୍ୟୁରୋ): ଗଞ୍ଜାମ ଜିଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ସୋମବାର ବିଏମ୍ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ମେୟର ସୁଲୋଚନା ଦାଶ ତାଙ୍କୁ ସ୍ବାଗତ କରିଥିଲେ। ବିଏମ୍ସି କମିଶନର ଭାବେ ଗୁରୁଦାୟିତ୍ୱ ମିଳିଥିବାରୁ ସେ ଉତ୍ସାହିତ ଅଛନ୍ତି। ଗଞ୍ଜାମରୁ ମିଳିଥିବା ଅଭିଜ୍ଞତା ରାଜଧାନୀରେ ଲଗାଇବେ ବୋଲି କୁଲାଙ୍ଗେ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜଧାନୀ ବାସିନ୍ଦାଙ୍କ ପ୍ରମୁଖ ଦାବି ଓ ବିକାଶକୁ ପ୍ରାଧାନ୍ୟ ଦେବେ। ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ କରିବା ଲାଗି ଚେଷ୍ଟା ଜାରି ରଖିବେ। ନିକଟରେ ମହାନଗର ନିଗମ ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ମିଶି ଅଧିକ ବିକାଶ ଦିଗରେ କାର୍ଯ୍ୟ କରିବେ। ରାଜଧାନୀରେ କାର୍ଯ୍ୟ କରିବା ବେଳେ ଅନେକ ଚ୍ୟାଲେଞ୍ଜ ରହିବ। ହେଲେ ଟିମ୍ ଓ୍ବାର୍କ ଜରିଆରେ କାର୍ଯ୍ୟ ସହଜ ହେବ ବୋଲି ସେ କହିଛନ୍ତି। ବିଏମ୍ସି କମିଶନର ଭାବେ ସଞ୍ଜୟ କୁମାର ସିଂ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିବା ପରେ ସୋମବାର କୁଲାଙ୍ଗେଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତେବେ କୁଲାଙ୍ଗେ ଗଞ୍ଜାମ ଜିଲାପାଳ ଥିବାବେଳେ କରୋନା ମହାମାରୀ ମୁକାବିଲାଠାରୁ ଆରମ୍ଭକରି ବିଦ୍ୟାଳୟ ରୂପାନ୍ତରଣ, ମା’ ତାରାତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ, ଗୋପାଳପୁର ବେଳାଭୂମିର ଉନ୍ନତୀକରଣ କାର୍ଯ୍ୟ ସଫଳତାର ସହ ତୁଲାଇଛନ୍ତି।