Categories: ଜାତୀୟ

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଆଞ୍ଚଳିକ ଭାଷାରେ ପାଠପଢ଼ିବା ଚୟନ କରିବାର ସ୍ବାଧୀନତା ପାଇ ପାରିବେ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ନିଷ୍ପତ୍ତି ପରେ, ଏବେ ଇଂଲିଶ୍‌ ସହିତ ଆଞ୍ଚଳିକ ଭାଷାରେ ଡାକ୍ତରୀ ପାଠପଢ଼ା କରାଯିବା ଲାଗି ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ର ବୈଠକରେ ଆଲୋଚନା କରାଯାଇଛି।

ବୈଠକରେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଆଲୋଚନା ବିଭିନ୍ନ ଦଳର ମତାମତ ଜାଣିବା ପାଇଁ ପ୍ରକାଶ ପାଇଛି।ଏନ୍‌ଏମ୍‌ସି ଗଠନ ପୂର୍ବରୁ ଯେତେବେଳେ ଏମ୍‌ସିଆଇ ଥିଲା, ସେତେବେଳେ ହିନ୍ଦୀରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦିଆ ଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାନୁସାରେ, ଡ୍ରାଫ୍ଟ ଆଲୋଚନାରେ କୁହାଯାଇଛି ଯେ ଦୁଇଟି ଭାଷାରେ ଡାକ୍ତରୀ ଶିକ୍ଷା ଆରମ୍ଭ କରିବାର ଏକ ନୂତନ ପ୍ରସ୍ତାବ ଆସିଛି। ଏହାର ଅର୍ଥ ହେଉଛି ଇଂଲିଶ୍‌ ସହିତ ଏକ ସ୍ଥାନୀୟ ଭାଷାରେ ଡାକ୍ତରୀ ଶିକ୍ଷା ଆରମ୍ଭ ହେବ। ଦେଶର ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ହୋଇପାରେ। ଉଦାହରଣ ସ୍ବରୂପ, ଓଡ଼ିଶାରେ ଇଂଲିଶ୍‌ ସହିତ ଓଡିଆ, ଉତ୍ତରପ୍ରଦେଶରେ ଇଂଲିଶ୍‌ ସହିତ ହିନ୍ଦୀ ଏବଂ ତାମିଲନାଡୁରେ ଇଂଲିଶ୍‌ ସହିତ ତାମିଲ ଭାଷାକୁ ପାଠପଢ଼ାରେ ସ୍ଥାନ ମିଳିବ।

ଏହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ପାଇଁ ଡାକ୍ତରୀ ଶିକ୍ଷା ପାଠପଢ଼ା ସହଜ ହେବ। ଗ୍ରାମାଞ୍ଚଳର ପରିବେଶରୁ ଆସୁଥିବା ଛାତ୍ରମାନଙ୍କ ଲାଗି ପ୍ରାଥମିକ ପର୍ଯ୍ୟାୟରେ ଇଂଲିଶ୍‌ରେ ଡାକ୍ତରୀ ପାଠପଢ଼ା କଷ୍ଟକର ହୋଇପଡିଥାଏ। ଏହି ପଦକ୍ଷେପ ଆଞ୍ଚଳିକ ଭାଷାଗୁଡ଼ିକୁ ମଧ୍ୟ ଉତ୍ସାହିତ କରିବ।

Share