ଜୁଲାଇ-ଅଗଷ୍ଟରେ ଅଧିକ ହେବ କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଜୁଲାଇ ଏବଂ ଅଗଷ୍ଟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ରେ ଦେଶରେ ୩ ଲକ୍ଷ ୪୮ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ମାସରେ ଉଭୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଥିବା କରୋନା ଡାଟା ବିଶେଷଜ୍ଞ ଦୀପେନ୍ଦ୍ର ରାୟ କହିଛନ୍ତି। ଜୁଲାଇରେ ୫ ରୁ ୬ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଥିବା କେରଳର ବରିଷ୍ଠ ଡାଟା ବିଶେଷଜ୍ଞ ଜେମ୍ସ୍‌ ଓ୍ବିଲସନ୍‌ ପ୍ରକାଶ କରିଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ଜୁଲାଇରେ ବଢ଼ିବାର ଅନୁମାନ କରାଯାଉଥିବା ସେ କହିଛନ୍ତି। ସେହିପରି ଚେନ୍ନାଇର ନ୍ୟାଶନାଲ ପବ୍ଲିକ୍‌ ହେଲଥ୍‌ ଇନଷ୍ଟିଚ୍ୟୁଟର ବରିଷ୍ଠ ପ୍ରଫେସର ଏମ୍‌.ରାମସ୍ବାମୀଙ୍କ ଅନୁସାରେ ଦେଶରେ କରୋନା ସଂକ୍ରମଣ ଜୁଲାଇ ଏବଂ ଅଗଷ୍ଟ ମାସରେ ଶୀର୍ଷରେ ପହଞ୍ଚିବ। ଏହାପରେ ସଂକ୍ରମଣ କମିବାକୁ ଲାଗିବ।

Share