Categories: ଜାତୀୟ

ସୀମାରେ ରହିବନି ଗଳାବାଟ, ଅନୁପ୍ରବେଶ ହେବ ବନ୍ଦ…

ନୂଆଦିଲ୍ଲୀ,୧୭।୭: ଭାରତର ସୀମା ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୦୨୨ ସୁଦ୍ଧା ସୀମାରେ କୌଣସି ଗଳାବାଟ ରହିବନି। ଯେଉଁ ଦେଶର ସୀମା ଯେତେ ସୁଦୃଢ଼ ସେ ଦେଶ ସେତେ ସୁରକ୍ଷିତ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସୀମାରେ କୌଣସି ଫାଙ୍କ ନ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଏସ୍‌ଏଫ୍‌ର ୧୮ତମ ଅଳଙ୍କରଣ ସମାରୋହରେ ଯୋଗ ଦେଇ ଏଭଳି କହିଛନ୍ତି। ଦେଶର ୭,୫୧୬ କିଲୋମିଟର ଦୀର୍ଘ ସାମୁଦ୍ରିକ ସୀମା ରହିଛି। ସେହିପରି ସ୍ଥଳଭାଗରେ ଭାରତର ୧୫,୦୦୦ କିଲୋମିଟର ସୀମା ରହିଛି। ଦେଶ ସୁରକ୍ଷା ପାଇଁ ସୀମାରେ ବାଡ଼ ଦିଆଯାଉଛି। ଏହି କାର୍ଯ୍ୟ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହାଦ୍ୱାରା ଅନୁପ୍ରବେଶ ବନ୍ଦ ହୋଇପାରିବ। ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଦେଶବାସୀ ସବୁବେଳେ ମନେ ରଖିବେ। ବିଏସ୍‌ଏଫ୍‌ ଏବଂ ପାରାମିଲିଟାରୀ ବାହିନୀଙ୍କ ଯୋଗୁ ଭାରତର ଆଜି ପୃଥିବୀରେ ନିଜର ଗୌରବମୟ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ସୂୁଚନାଯୋଗ୍ୟ, ୨୦୦୩ଠାରୁ ପ୍ରତିବର୍ଷ ବିଏସ୍‌ଏଫ୍‌ର ପ୍ରଥମ ମହାନିର୍ଦ୍ଦେଶକ ପଦ୍ମ ବିଭୁଷଣରେ ସମ୍ମାନୀତ କେ.ଏଫ୍‌.ରୁସ୍ତମଜୀଙ୍କ ଜନ୍ମଦିନକୁ ଅଳଙ୍କରଣ ଉତ୍ସବର ଆୟୋଜନ କରାଯାଉଛି। ଚଳିତ ବର୍ଷ ୨୭ ସୀମା ଯବାନଙ୍କୁ ବୀରତା ପାଇଁ ସମ୍ମାନୀତ କରାଯିବ। ସେଥିମଧ୍ୟରୁ ୧୪ ଜଣଙ୍କୁ ବୀରତା ଲାଗି ପୋଲିସ ପଦକ ଏବଂ ୩ ଅବସର ପ୍ରାପ୍ତ ଯବାନଙ୍କ ସହିତ ୧୩ ଜଣଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ପଦକ ପ୍ରଦାନ କରାଯିବ।

Share