ଜେଇଇ ପାଇଁ ହେବନି ଲକ୍‌ଡାଉନ, ଶଟ୍‌ଡାଉନ୍‌

ଭୁବନେଶ୍ୱର,୩୦। ୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ(ମେନ୍‌) ଏବଂ ୧୩ ତାରିଖରେ  ଏନ୍‌ଇଇଟି(ୟୁଜି) ପ୍ରବେଶିକା ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୮ ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ଏବଂ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ରାଜ୍ୟରେ କୌଣସି ପ୍ରକାର ଲକ୍‌ଡାଉନ କିମ୍ବା ଶଟ୍‌ଡାଉନ ହେବ ନାହିଁ । ଏ ନେଇ ଶନିବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ସମୟରେ ପରୀକ୍ଷାର୍ଥୀ ଓ ସେମାନଙ୍କର ଅଭିଭାବକ, ପରୀକ୍ଷା ସହିତ ଜଡିତ ପର୍ଯ୍ୟବେକ୍ଷକ, ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର ଓ ଅନ୍ୟ କର୍ମଚାରୀଙ୍କ ଯିବାଆସିବାରେ କୌଣସି କଟକଣା ରହିବ ନାହିଁ । ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ୍‌କାର୍ଡ ଓ ଅନ୍ୟ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା କିମ୍ବା ଅନୁଷ୍ଠାନ କୋଭିଡ୍‌-୧୯ର ସମସ୍ତ ନିୟମାବଳୀ ପାଳନ କରିବାକୁ କୁହାଯାଇଛି। ସାମାଜିକ ଦୂରତ୍ୱ ସହିତ ମୁହଁରେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା, ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଜିଲା ପ୍ରଶାସନ ପରୀକ୍ଷା କେନ୍ଦ୍ର ବାହାରେ ମଧ୍ୟ ସେପରି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

Share