ସ୍ବାଧୀନତା ଦିବସରେ ହେବନି ପରେଡ୍‌

ଭଦ୍ରକ ଅଫିସ, ୪।୮: ସ୍ବାଧୀନତା ଦିବସ ଜିଲାସ୍ତରରେ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ବରାଷ୍ଟ୍ର ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସ୍ବାଧୀନତା ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟୁଷରୁ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌରାଞ୍ଚଳରେ ରାମଧୂନ ପରିକ୍ରମା କରାଯିବ। ସକାଳ ୭ଟା ୩୦ମିନିଟ୍‌ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ମୁଖ୍ୟଅତିଥିଙ୍କ ଦ୍ୱାରା ନେହେରୁ ଷ୍ଟାଡିୟମଠାରେ ସକାଳ ୯ଟା ୧୫ରେ ପତାକା ଉତ୍ତୋଳନ କରାଯିବ। ଚଳିତବର୍ଷ ଆନୁଷ୍ଠାନିକ ପରେଡ୍‌ କି ମାର୍ଚ୍ଚଫାଷ୍ଟ ହେବ ନାହିଁ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୂର୍ବବର୍ଷ ସ୍ବାଧୀନତା ଦିବସ ପାଳନର ବିବରଣୀ ଉପସ୍ଥାପନ କରିଥିଲେ। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ରାମଦାସ ଟୁଡୁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ, ଉପଜିଲାପାଳ ମନୋଜ ପାତ୍ର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।