ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ରହିବନି ଅଙ୍କୁଶ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ଚାରିଆଡୁ ପ୍ରତିବାଦ ପରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବଦଳାଇଛନ୍ତି। ପୂର୍ବଭଳି ବିଶ୍ୱବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବ। ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକରା ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସିଟ୍‌ ସଂଖ୍ୟା ୨୦ ପ୍ରତିଶତରେ ସୀମିତ ରଖିବାକୁ କୁଳାଧିପତିଙ୍କ ସଚିବାଳୟରୁ ଗତ ୧୨ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ସେଲ୍ଫ ଫାଇନାନ୍ସିଂ କୋର୍ସ ଭିତରେ ରେଗୁଲାର ପାଠ୍ୟକ୍ରମ ନିଜର ଗୁରୁତ୍ୱ ହରାଉଥିବା ନେଇ ରାଜ୍ୟପାଳ ହୃଦବୋଧ କରିଥିଲେ। ତେଣୁ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ଗୁଣାତ୍ମକ ରେଗୁଲାର କୋର୍ସ ଆରମ୍ଭ କରିବା ପାଇଁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଅଙ୍କୁଶ ଲଗାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରୀଛାତ୍ର ଓ ଶିକ୍ଷାବିତ୍‌ ନାପସନ୍ଦ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ଅଣ୍ଡା, ଟମାଟୋ ମାଡ଼ କରିଥିଲା। ଶେଷରେ ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି।

Share