ଯୁକ୍ତଦୁଇ ନାମ ଲେଖା ପାଇଁ ସିଟ୍‌ ସମସ୍ୟା ହେବନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭.୮ ପ୍ରତିଶତ ଛାତ୍ରୀଛାତ୍ର ପାସ କରିଛନ୍ତି। ତେବେ ସିବିଏସ୍‌ଇ ଓ ଆଇସିଆଇସି ପରୀକ୍ଷା ଫଳ ଏଯାବତ୍‌ ବାହାରି ନାହିଁ। ଚଳିତ ବର୍ଷ ପାସ ହାର ଅଧିକ ଥିବା ବେଳେ ସବୁ ଫଳାଫଳ ବାହାରି ସାରିବା ପରେ ଯୁକ୍ତ ଦୁଇ ପଢ଼ିବା ନିମନ୍ତେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବିଢ଼ିଯିବା ଆକଳନ କରାଯାଉଛି। ସେହି ଅନୁଯାୟୀ ସିଟ୍‌ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପାଢ଼ା ଲାଗି ସିଟ ସମସ୍ୟା ଉପୁଜିବା ନେଇ ଅଭିଭାବକ ଚିନ୍ତାରେ ଥିବା ବେଳେ ଏପରି କିଛି ସମସ୍ୟା ଉପୁଜିବ ନାହିଁ ବୋଲିି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ଏ ନେଇ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍‌ ସମସ୍ୟା ହେବନାହିଁ । ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରୀଛାତ୍ରଙ୍କ ଇଚ୍ଛା ରହିଛି। ଆବଶ୍ୟକ ସ୍ଥଳେ ସିଟ୍‌ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ ଲକ୍ଷ ୩ ହଜାର ୧୧୩ ସିଟ ରହିଛି । ତାସହ କଲେଜକୁ ଆଧାର କରି ସିଟ୍‌ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।
ସିବିଏସଇ, ଆଇସିଆଇସି ରେଜଲ୍ଟ ବାହାରିବା ପରେ ପିଲାମାନେ ନିଜ ମାର୍କ ଓ ଇଚ୍ଛା ମୁତାବକ ବିଭିନ୍ନ କଲେଜରେ ପଢ଼ିବା ପାଇଁ ଆବେଦନ କରିପାରିବେ। ପିଲାମାନଙ୍କ କୌଣସି ନିର୍ଦ୍ଦିଷ୍ଟ କଲେଜ ପ୍ରତି ଅଧିକ ଆଗ୍ରହ ଥିଲେ, ଆବଶ୍ୟକତା ଅନୁଯାୟୀ, ସେହି କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

 

Share