୪ ଜିଲାରେ ହେବ ଅଣଧାନ ଫସଲ

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍‌ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୋମବାର ଅନୁମୋଦନ କରିଛନ୍ତି। ରାଜ୍ୟର ୪ଟି ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲାର ୧୮ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୦୧ଟି ଗ୍ରାମର ୧୨ ହଜାର ୨୦୭ ହେକ୍ଟର ଜମିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ୧୨ଟି କ୍ଲଷ୍ଟରରେ ଏହି ଚାଷ କରାଯିବ। ପ୍ରତି କ୍ଲଷ୍ଟରରେ ୧୦୦୦ ହେକ୍ଟର ଚାଷ ଜମିରେ ଫସଲର ବିବିଧୀକରଣ କରାଯାଇ ଚାଷ କରାଯିବ। ମୃତ୍ତିକା ଓ ସ୍ଥାନୀୟ ଜଳବାୟୁ ଅନୁସାରେ ଚଳିତ ଖରିଫ୍‌ ଋତୁରେ ଫସଲର ବିବିଧୀକରଣ କରାଯାଇ ଅଣଧାନ ଅର୍ଥକରୀ ଫସଲ ଚାଷ ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର କୃଷକଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଅଣଧାନ ଚାଷ ଯଥା ଡାଲି, ତୈଳବୀଜ, କପା, ମକା ଆଦି ଅର୍ଥକରୀ ଫସଲ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Share