Categories: ଜାତୀୟ

ସରକାରୀ ବିଦ୍ୟାଳୟରେ ରହିବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ, ୫ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶିକ୍ଷା ଯୋଜନା ୨.୦ ଲାଗୁ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ୧ ଏପ୍ରିଲ ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାର ଏହି ଯୋଜନାରେ କେନ୍ଦ୍ରର ଅଂଶ ୧ ଲକ୍ଷ ୮୫ ହଜାର ୩୯୮ କୋଟି ରହିବ। ପ୍ରି ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ।
ସରକାରୀ ସ୍କୁଲରେ ପ୍ଲେ ସ୍କୁଲ ଆରମ୍ଭ କରାଯିବା ସହ ବିବିଧ ଭାଷା ଓ ଦକ୍ଷତାବୃଦ୍ଧି ଭିତ୍ତିକ ପାଠ୍ୟକ୍ରମ ରହିବ। ଧନ୍ଦାମୂଳକ ଶିକ୍ଷା ଓ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ସରକାରୀ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାଙ୍କୁ ମୁଣ୍ଡପିଛା ୫ ଶହ ଟଙ୍କା ବ୍ୟୟରେ ପାଠ୍ୟୋପକରଣ ଯୋଗାଣ, ପ୍ରତି ଶିକ୍ଷକଙ୍କ ପାଇଁ ୧୫୦ ଟଙ୍କାର ଟିଚର ମାନୁଆଲ ଯୋଗାଯିବ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ସ୍କୁଲ ବାହାରେ ଥିବା ୬ରୁ ୧୯ ବର୍ଷୀୟ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଛାତ୍ରୀନିବାସଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥା, ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ ବାବଦରେ ଛାତ୍ରୀଙ୍କ ବାବଦ ଖର୍ଚ୍ଚ ୩ରୁ ୫ ହଜାରକୁ ବୃଦ୍ଧି କରାଯାଇଛି।

 

Share