ଆସିବ ପବ୍ଲିକ ଓ୍ବାଇଫାଇ ନେଟ୍‌ଓ୍ବର୍କ ପିଏମ୍‌-ବାଣୀ

ନୂଆଦିଲ୍ଲୀ: ପବ୍ଲିକ ଡାଟା ଅଫିସ ଆଗ୍ରିଗେଟର୍ସ ଦ୍ୱାରା ସର୍ବସାଧାରଣ ଓ୍ବାଇଫାଇ ନେଟ୍‌ଓ୍ବର୍କ ସ୍ଥାପନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏ ନେଇ ଟେଲିକମ୍‌ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ପବ୍ଲିକ ଡାଟା ଅଫିସମାନ ଲୋକଙ୍କୁ ସାରା ଦେଶରେ ଓ୍ବାଇଫାଇ ସେବା ଯୋଗାଇବେ। ସର୍ବସାଧାରଣ ଓ୍ବାଇଫାଇ ନେଟ୍‌ଓ୍ବର୍କ ମାଧ୍ୟମରେ ବ୍ରଡ୍‌ ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣକୁ ତ୍ୱରାନ୍ବିତ କରାଯିବାକୁ ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରଖାଯାଇଥିଲା। ଏହା ଅଧୀନରେ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇଦେବା ଲାଗି ଲାଇସେନ୍ସ ଫି ଦେବାକୁ ପଡିବ ନାହିଁ। ଏହାଦ୍ୱାରା ଦେଶର ପବ୍ଲିକ ଓ୍ବାଇଫାଇ ନେଟ୍‌ଓ୍ବର୍କ ବୃଦ୍ଧି ହେବ। ଏହାବାଦ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ ସେବାର ପ୍ରସାର ମଧ୍ୟ ହେବ। ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଏବଂ ସଶକ୍ତୀକରଣ କ୍ଷେତ୍ରରେ ଏହା ଯୋଗଦାନ ରଖିବ। ଏହି ପବ୍ଲିକ ଓ୍ବାଇଫାଇ ଆକ୍‌ସେସ୍‌ର ନାମ ରହିବ ପିଏମ୍‌ ବାଣୀ। ଏହା ବିଭିନ୍ନ ଅପରେଟରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ପବ୍ଲିକ ଡାଟା ଅଫିସ, ପବ୍ଲିକ ଡାଟା ଅଫିସ ଆଗ୍ରିଗେଟର, ଆପ୍‌ ପ୍ରୋଭାଇଡର ଏବଂ ସେଣ୍ଟ୍ରାଲ ରେଜିଷ୍ଟ୍ରି ପ୍ରମୁଖ ସେବା ଯୋଗାଇ ଦେବେ ବୋଲି ଜଣାପଡିଛି।

Share