୧୬ ଜିଲାରେ ହେବ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ଲାବ୍‌

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ରାଜ୍ୟର ୧୬ ଜିଲାରେ ଆର୍‌ଟି-ପିସିଆର୍‌ କୋଭିଡ୍‌-୧୯ ଟେଷ୍ଟିଂ ଲାବରେଟୋରି ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ଗଜପତି, ଜଗତ୍‌ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସୋନପୁର, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାର ସଦର ମହକୁମାରେ ଗୋଟିଏ ଲେଖାଏ ଆର୍‌ଟି-ପିସିଆର୍‌
ଟେଷ୍ଟିଂ ଲାବରେଟୋରି ପ୍ରତିଷ୍ଠା ହେବ। କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୬ ଜିଲାରେ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ଲାବରେଟୋରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆର୍‌ଟି-ପିସିଆର୍‌ ଟେଷ୍ଟିଂ ଲାବରେଟୋରି ଗୋଟିଏ ଖୋଲିବା ପାଇଁ ପ୍ରାୟ ୧.୨୦କୋଟି ଖର୍ଚ୍ଚ ହେବ। ଏହି ଟେଷ୍ଟିଂ ସେଣ୍ଟରଗୁଡ଼ିକ ସବୁଦିନ ଲୋକଙ୍କୁ ସେବା ଯୋଗାଇବ। ଏହି ଲାବରେଟୋରିରେ ଜଣେ ଲେଖାଏ ମାଇକ୍ରୋବାୟୋଲୋଜିଷ୍ଟ ଓ ତିନିଜଣ ଲ୍ୟାବ୍‌ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ।

Share