ବେଙ୍ଗାଲୁରୁ,୧୩।୩: ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବାକୁ ଯାଉଛନ୍ତି ଫାଫ ଡୁ’ପ୍ଲେସିସ। ତାଙ୍କ ନେତୃତ୍ୱ ଶୈଳୀ ‘କ୍ୟାପଟେନ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରାୟତଃ ସମାନ ଥିବା ୩୭ ବର୍ଷୀୟ ଡୁ’ ପ୍ଲେସିସ କହିଛନ୍ତି। ୨୦୧୨ଠାରୁ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏପରିକି ସେ ଧୋନୀଙ୍କ ନେତୃତ୍ୱରେ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ ପାଇଁ ମଧ୍ୟ ଖେଳିଥିଲେ।
“ମୁଁ ଖୁବ ଭାଗ୍ୟଶାଳୀ ଯେ, କିଛି ଭଲ ଅଧିନାୟକଙ୍କ ସହ ମୋ କ୍ରିକେଟ କ୍ୟାରିୟର ଆରମ୍ଭ କରିଛି। ମୁଁ ଗ୍ରେମ ସ୍ମିଥଙ୍କ ନେତୃତ୍ୱରେ କ୍ୟାରିୟର ଆରମ୍ଭ କରିଥିଲି, ସେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଅଧିନାୟକ। ଆଉ ତା’ ପରେ ଧୋନୀ ଏବଂ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ୧୦ ବର୍ଷ ଧରି ଖେଳିଥିଲି। ଧୋନୀଙ୍କ ନେତୃତ୍ୱ ଶୈଳୀ ସହ ମୋ ଷ୍ଟାଇଲରେ ସମାନତା ଅଛି। କାରଣ ଆମେ ଦୁହେଁ ଖୁବ୍ ରିଲାକ୍ସ ରହୁ” ବୋଲି ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଡୁ’ ପ୍ଲେସିସ୍ କହିଛନ୍ତି।