Categories: ଜାତୀୟ

ବନ୍ଦ ରହିବ ରାଜଧାନୀର ଏହି ୧୨ ରାସ୍ତା

ନୂଆଦିଲ୍ଲୀ,୩୦ା୮: ସେପ୍ଟେମ୍ବର ୮ରୁ ୧୦ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ଯୋଗୁ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସି ଟ୍ରାଫିକ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସମ୍ମିଳନୀ ସମ୍ବନ୍ଧରେ ସାଧାରଣ ନାଗରିକମାନଙ୍କୁ ମଧ୍ୟ କିଛି ବିଶେଷ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିଖର ସମ୍ମିଳନୀ ଯୋଗୁ୍‌ ସମସ୍ତ ସରକାରୀ ଅନୁଷ୍ଠାନ ଏବଂ ବେସରକାରୀ କାର୍ଯ୍ୟାଳୟ ବ୍ୟତୀତ ବ୍ୟାଙ୍କ ସମେତ ସମସ୍ତ ଆର୍ଥିକ ଅନୁଷ୍ଠାନ ୮ରୁ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କେତେକ ସମ୍ବେଦନଶୀଳ ସ୍ଥାନରେ ସତର୍କତାମୂଳକ ପଦକ୍ଷେପ ଭାବରେ ଧାରା ୧୪୪ ଲାଗୁ କରିଛି। ଅର୍ଥାତ୍‌ ଏହି ସ୍ଥାନଗୁଡିକରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

ଏହି ସମ୍ମିଳନୀ ଯୋଗୁ ସେପ୍ଟେମ୍ବର ୭ରୁ ଦିଲ୍ଲୀ ରାସ୍ତାରେ ଟ୍ରାଫିକ ଡାଇଭର୍ସନ କାର୍ଯ୍ୟକାରୀ ହେବ। ଏହି ଅବଧି ମଧ୍ୟରେ ଆମ୍ବୁଲାନ୍ସ ପାଇଁ ଉତ୍ସର୍ଗୀକୃତ କଣ୍ଟ୍ରୋଲ ରୁମ୍‌, ଭିଆଇପି ଗତି ପାଇଁ ଭର୍ଚୁଆଲ ହେଲ୍ପ ଡେସ୍କ ପରି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହିତ ସଂଯୁକ୍ତ ଯାନ ବ୍ୟତୀତ ଅନ୍ୟ କୌଣସି ଭାରୀ ଯାନକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ଟ୍ରାଫିକ ପୋଲିସ ସୂଚନାନୁସାରେ, ଦିଲ୍ଲୀ ଗେଟ୍‌, ବାହାଦୂର ଜାଫର ମାର୍ଗ, ବିକାଶ ମାର୍ଗ, ଜବାହରଲାଲ ନେହେରୁ ମାର୍ଗ, ଚମାନ ଲାଲ ମାର୍ଗ, ମହାରାଜା ରଣଜିତ ସିଂ ମାର୍ଗ, ଡିଡିୟୁ ମାର୍ଗ, ପ୍ରଗତି ମଇଦାନ, ମହାତ୍ମା ଗାନ୍ଧୀ ମାର୍ଗ, ଆସିଫ ଅଲି ରୋଡ, ହନୁମାନ ସେତୁ, ଆଇଏସବିଟି କଶ୍ମୀର ଗେଟ୍‌, ଆଇପି ସାଧାରଣ ଟ୍ରାଫିକ ଫ୍ଲାଏ ଓଭରରେ ବନ୍ଦ ରହିବ।

Share