Categories: ଜାତୀୟ

ଏହି ୨ ଏମ୍‌ପି ମହିଳା ସଂରକ୍ଷଣ ବିଲ୍‌ ବିପକ୍ଷରେ ଦେଲେ ଭୋଟ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍‌ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିପକ୍ଷରେ ୨ଟି ଭୋଟ ଦିଆଯାଇଛି। ତେବେ ବିପକ୍ଷରେ ଭୋଟ ଦେଇଥିବା ୨ ଏମ୍‌ପିଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି। ସେହି ୨ ଜଣ ଏମ୍‌ପି କିଏ ଏବଂ କାହିଁକି ଏମିତି ପଦକ୍ଷେପ ନେଇଛନ୍ତି ତାହା ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଛି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏବଂ ତାଙ୍କ ଦଳର ଏମ୍‌ପି ଇମତିଆଜ ଜାଲିଲ ଏହି ବିଲ ବିରୋଧରେ ମତ ଦେଇଛନ୍ତି। ଅସଦୁଦ୍ଦିନ ଓୱାଇସି ତାଙ୍କ ପଦକ୍ଷେପର କାରଣ ଦର୍ଶାଇଛନ୍ତି।
ଓୱାଇସି କହିଛନ୍ତି ଯେ ଆମେ ଏହି ବିଲ ବିରୋଧରେ ଭୋଟ ଦେଇଛୁ। ଏହା ଦ୍ୱାରା ଦେଶ ଜାଣିବ ଯେ ସଂସଦରେ ଦୁଇଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ମୁସଲମାନ ଏବଂ ଓବିସି ମହିଳାଙ୍କ ସଂରକ୍ଷଣ ପାଇଁ ଲଢୁଛନ୍ତି। ଯେହେତୁ ବିଲରେ ମୁସଲମାନ ଏବଂ ଓବିସି ମହିଳାଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ସେଥିପାଇଁ ଆମେ ଏହି ବିଲ ବିରୋଧରେ ଭୋଟ ଦେଇଛୁ।
ଆସାଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ଏହି ଦେଶରେ ଓବିସି ସମ୍ପ୍ରଦାୟର ଜନସଂଖ୍ୟା ବିଷୟରେ ଆଲୋଚନା କରିବା ତେବେ ଏହା ୫୦ ପ୍ରତିଶତରୁ ଅଧିକ, ତଥାପି ସରକାର ସେମାନଙ୍କୁ ସଂରକ୍ଷଣ ଦେବାକୁ ମନା କରୁଛନ୍ତି କାହିଁକି? ଜାତୀୟ ଜନସଂଖ୍ୟାରେ ମୁସଲମାନ ମହିଳାମାନଙ୍କର ଜନସଂଖ୍ୟା ୭ ପ୍ରତିଶତ। ଯଦି ଆମେ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ବିଷୟରେ କହିବା, ଏହା ମାତ୍ର ୦.୭ ପ୍ରତିଶତ ଅଟେ।

Share