Categories: ଜାତୀୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ଏହି ୫ ନେତା: ସବୁଠୁ ଆଗରେ…

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଆଲୋଚନା ଜୋର ଧରିଛି। ଏହି ପ୍ରଶ୍ନ ଉପରେ ସସପେନ୍ସ ରହିଯାଇଛି। ଗୋଟିଏ ପଟେ ଦେଶର ରାଜଧାନୀର ରାଜନୈତିକ କରିଡରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସ୍‌ରେ ଏଏପିର ପ୍ରାୟ ପାଞ୍ଚଜଣ ବଡ ନେତାଙ୍କ ନାମ ଆଗରେ ଥିବାବେଳେ ଅନ୍ୟ ପଟେ ନୂତନ ମୁଖ୍ୟମନ୍ତ୍ରୀ ନିର୍ବାଚନରେ କିଏ ଭୂମିକା ଗ୍ରହଣ କରିବ ତାହା ମଧ୍ୟ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୋମବାର ସନ୍ଧ୍ୟାରେ ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି)ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚୂଡ଼ାନ୍ତ ହେବାକୁ ଥିବା ନାମ ଏଏପି ବିଧାନସଭା ପାର୍ଟି ବୈଠକରେ ଗୋଟିଏ ଦିନ ଅର୍ଥାତ୍‌ ମଙ୍ଗଳବାରରେ ରଖାଯିବ ଏବଂ ତା’ପରେ ନାମ ଘୋଷଣା କରାଯିବ।

ବିଧାନସଭା ଦଳର ନେତା ବାଛିବାରେ ଅରବିନ୍ଦ କେଜ୍‌ରିୱାଲ,ଭଗବାନ ମାନ,ମନୀଷ ସିସୋଡିଆ,ସଞ୍ଜୟ ସିଂ,ସନ୍ଦୀପ ପାଠକ,ଗୋପାଳ ରାୟ,ଆତିଶି,ଏନ୍‌ଡି ଗୁପ୍ତା,ଦୁର୍ଗେଶ ପାଠକ,ପଙ୍କଜ ଗୁପ୍ତା,ରାଘବ ଚଢା,ଇମ୍ରାନ ହୁସେନ ରାଖୀ ବିଡଲାନୀ ଏକ ଭୂମିକା ଗ୍ରହଣ କରିବେ।

ଅରବିନ୍ଦ କେଜ୍‌ରିୱାଲ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ସାକ୍ଷାତ କରିବେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ମୋହର ବାଜିବାର ସମ୍ଭାବନା ରହିଛି। ଦିଲ୍ଲୀ ମୁଖ୍ୟ ରେସ୍‌ରେ ଆତିଶି, ସୌରଭ ଭରଦ୍ୱାଜ, ରାଘବ ଚଢା, ଗୋପାଳ ରାୟ, କୈଳାଶ ଗେହଲଟ, ସୁନୀତା କେଜ୍‌ରିୱାଲଙ୍କ ନାଁ ଆଗରେ ରହିଛି।

ଏକ୍ସାଇଜ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ତିହାର ଜେଲରୁ ଜାମିନରେ ମୁକ୍ତ ହୋଇଥିବା ଅରବିନ୍ଦ କେଜ୍‌ୱାଲ ରବିବାର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଜନସାଧାରଣ ତାଙ୍କୁ ‘ସଚ୍ଚୋଟତାର ପ୍ରମାଣପତ୍ର’ ନ ଦେବା ପର୍ଯ୍ୟନ୍ତ ସେ ଏହି ଚେୟାରରେ ବସିବେ ନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ସେ ଏଏପି ବିଧାୟକଙ୍କ ଏକ ବୈଠକ କରିବେ ଏବଂ ତାଙ୍କର ଜଣେ ସହକର୍ମୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ।

Share