ପରଦାରେ ରୋମାନ୍ସ, ହେଲେ ବାସ୍ତବ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି ଅଛନ୍ତି ଯେଉଁମାନେ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏପରିକି କଥା ମଧ୍ୟ ହୁଅନ୍ତି ନାହିଁ। କେବଳ ପରଦା ଉପରେ ସେମାନଙ୍କର ରୋମାନ୍ସ ଦେଖିବାକୁ ମିଳିଥାଏ।

ଧାରାବାହିକ ‘ୟେ ହୈ ମୋହବତେ’ର ଦିବ୍ୟଙ୍କା ତ୍ରିପାଠୀ ଏବଂ କରଣ ପଟେଲ ଲୋକପ୍ରିୟ ଯୋଡ଼ି ଭିତରୁ ଅନ୍ୟତମ। ଦର୍ଶକମାନେ ଉଭୟଙ୍କ କେମିଷ୍ଟ୍ରୀଙ୍କୁ ବହୁତ ପସନ୍ଦ କରୁଥିଲେ। ହେଲେ ସେମାନଙ୍କ ଭିତରେ ଭଲ ସମ୍ପର୍କ ନ ଥିବା କୁହାଯାଏ।

ହିନା ଖାନ୍‌ ଏବଂ କରଣ ମେହେରା ‘ହେ ରିସ୍ତା କ୍ୟା କହଲାତା ହେ’ରେ ନାୟିକା ନାୟକ ସାଜିଥିଲେ। ଦର୍ଶକଙ୍କୁ ଏହି ଯୋଡ଼ି ଭରପୂର ମନୋରଞ୍ଜନ ଦେଇଥିଲା। ହେଲେ ପ୍ରକୃତ ଜୀବନରେ କଥାଟି ଓଲଟା। ଶୁଟିଂ ସେଟ୍‌ରେ ଉଭୟ ଅଲଗା ଅଲଗା ବସୁଥିବା ସହ କଥା ମଧ୍ୟ ହେବାକୁ ପସନ୍ଦ କରନ୍ତି ନାହିଁ।

ସୁପରହିଟ୍‌ ଧାରାବାହିକ ‘ବାଳିକା ବଧୁ’ର ମୁଖ୍ୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ତୋରଲ ରାସପୁତ୍ରାଙ୍କ ସମ୍ପର୍କକୁ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ହେଲେ ଏକଦା ହନିମୁନ୍‌ ଦୃଶ୍ୟ ଶୁଟିଂ ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରଠାରୁ ଉଭୟ ଶୁଟିଂ ସେଟ୍‌ରେ ଅଲଗା ରହୁଥିଲେ।

ଐତିହାସିକ ଧାରାବାହିକ ‘ଯୋଦ୍ଧା ଆକବର’ରେ ନଜର ଆସୁଥିବା ରଜତ ଟୋକସ୍‌ ଏବଂ ପରିଧି ଶର୍ମା ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ଶୁଟିଂ ସେଟ୍‌ରେ ପଦଟିଏ ମଧ୍ୟ କଥା ହୁଅନ୍ତି ନାହିଁ। ରଜତ ନିଜକୁ ପରିଧିଙ୍କ ସିନିୟର ବୋଲି ଭାବୁଥିବାରୁ କଥା ହେଉ ନ ଥିବା କୁହାଯାଏ।

ଲୋକପ୍ରିୟ ଧାରାବାହିକ ‘ଦିୟା ଔର ବାତି ହମ୍‌’ରୁ ଦର୍ଶକଙ୍କ ହୃଦୟ ଜିତିଥିଲେ ଦୀପିକା ସିଂହ ଏବଂ ଅନସ ରଶିଦ। ପରଦା ଉପରେ ଭଲ ସ୍ବାମୀସ୍ତ୍ରୀ ଦେଖାଯାଉଥିଲେ ହେଁ ପ୍ରକୃତ ଜୀବନରେ ଉଭୟ ଉଭୟଙ୍କୁ ପସନ୍ଦ କରୁ ନ ଥିଲେ। ଏକଦା ଖରାପ ଭାବେ ଛୁଇଁଥିବା କହି ଦୀପିକା ଅନଶଙ୍କୁ ଚାପୁଡ଼ା ମାରିଥିଲେ। ଏହାପରଠାରୁ ଉଭୟ କଥା ହେବା ବନ୍ଦ କରିଦେଇଥିଲେ।

Share