ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।
ଅନୁସନ୍ଧାନକାରୀମାନେ ହାର୍ଟକୁ ସୁସ୍ଥ ରଖିବାରେ ଭିଟାମିନ୍ ‘ ଡି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଭିଟାମିନ ‘ଡି’ ଅଭାବ ଥିବା ଲୋକମାନେ ଭିଟାମିନ ‘ଡି’ଥିବା ଲୋକଙ୍କ ତୁଳନାରେ ହୃଦ୍ରୋଗ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ଦୁଇଗୁଣ ଅଧିକ। ଭିଟାମିନ୍ ‘ଡି’ ଅଭାବ ଥିବା ଲୋକଙ୍କୁ ହୃଦ୍ଘାତ ଆଶଙ୍କା ଅଧିକ ରହିଥାଏ ବୋଲି ସ୍ବାସ୍ଥ୍ୟ ଗବେଷକମାନେ ଏହି ରିପୋର୍ଟରେ କହିଛନ୍ତି।
ଏହି ଅଧ୍ୟୟନରେ ୫୫ ପ୍ରତିଶତ ଲୋକଙ୍କ ମଧ୍ୟରେ ଭିଟାମିନ ‘ଡି’ସ୍ତର ଲିଟର ପିଛା ୫୦ ନାନୋମୋଲରୁ କମ୍ ବୋଲି ଜଣାପଡ଼ିଛି। ୧୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଭିଟାମିନ୍ ‘ଡି’ ଅଭାବ ପରିଲକ୍ଷିତ ହୋଇଛି।
ଏହି ଅଭାବ ଭାରତର ପ୍ରାୟ ୮୦-୯୦ ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ। ଗବେଷକମାନେ କହିଛନ୍ତି, ଅଷ୍ଟ୍ରେଲିଆର ୨୩ ପ୍ରତିଶତ ଲୋକ, ଆମେରିକାରେ ୨୪ ପ୍ରତିଶତ ଏବଂ କାନାଡ଼ାରେ ୩୭ ପ୍ରତିଶତ ଲୋକଙ୍କର ଭିଟାମିନ ‘ଡି’ ଅଭାବ ଦେଖାଦେଇଛି।
ଭିଟାମିନ୍ ‘ଡି’ର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟକିରଣ। ଏହା ବ୍ୟତୀତ ମାଛ, ଅଣ୍ଡା ଏବଂ କିଛି ପାନୀୟ ଯୁକ୍ତ ଖାଦ୍ୟରୁ ମଧ୍ୟ ମିଳିଥାଏ। ଖାଦ୍ୟରେ ଏହା ବହୁତ କମ୍ ପରିମାଣରେ ମିଳୁଥିବା ବେଳେ ସୂର୍ଯ୍ୟକିରଣରୁ ଅଧିକ ମାତ୍ରାରେ ମିଳିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି, ଯଦି ଭିଟାମିନ ‘ଡି’ସ୍ତର ସ୍ବାଭାବିକ ହୁଏ, ତେବେ ହୃଦ୍ଘାତ୍ ୪.୪ ପ୍ରତିଶତ ହ୍ରାସ ହୋଇପାରେ।