Categories: ଜାତୀୟ

ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବାକୁ ଏହି ବିରୋଧୀ ଦଳମାନେ ଦେଇଛନ୍ତି ସହମତି

ପାଟନା,୮।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଡକାଇଥିବା ବିରୋଧୀ ଦଳ ବୈଠକ ଜୁନ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦେଶର ଅନେକ ରାଜନୈତିକ ଭେଟେରାନଙ୍କ ସମାବେଶ ହେବ। ଏହି ବୈଠକ ପ୍ରଥମେ ମେ’ ୧୯ ଏବଂ ପରେ ଜୁନ ୧୨ରେ ହେବାର ଥିଲା, କିନ୍ତୁ ସବୁ ଦଳର ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଜୁନ ୨୩ରେ ବୈଠକ ପାଇଁ ସମସ୍ତ ଦଳର ବିଶିଷ୍ଟ ନେତାମାନେ ସେମାନଙ୍କ ସହମତି ଦଇଛନ୍ତି।

ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ରାଷ୍ଟ୍ରୀୟ ସଭାପତି ଲଲନ ସିଂ କହିଛନ୍ତି, କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବାକୁ ରାଜି ହୋଇଛନ୍ତି। ଏହା ସହିତ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି (ଏସ୍‌ପି) ସଭାପତି ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖ୍ୟ ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଶିବସେନା ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର, ଡିଏମକେ ସଭାପତି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ସିପିଆଇ ସଚିବ ଡି. ରାଜା, ସିପିଏମ ସୀତାରାମ ୟେଚୁରୀ, ସିପିଆଇ (ଏମ) ସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ଏଥିରେ ଯୋଗଦେବାକୁ ସହମତି ଦେଇଛନ୍ତି।

 

Share