ପୋଲିସକୁ ଦେଖି ୭ କୋଟି ଟଙ୍କାର ଅତି ଦୁର୍ଲଭ ଝିଟିପିଟି ଛାଡ଼ି ଯୁବକ ଫେରାର୍‌

କୋଲକାତା, ୧୦।୯: ସୀମା ସୁରକ୍ଷା ବଳୟ (ବିଏସ୍‌ଏଫ୍‌) ଯବାନମାନେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ ହେଉଥିବା ୧୪ଟି ଅତି ଦୁର୍ଲଭ ଝିଟିପିଟି ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଝିଟିପିଟିଗୁଡ଼ିକ ‘ଟେକୋ ଗେକୋ’ ପ୍ରଜାତିର ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୧୪ଟି ଝିଟିପିଟିର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।


ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ବିଏସ୍‌ଏଫ୍‌ ଯବାନମାନେ ପରଗୁମାଟି ସୀମା ପୋଷ୍ଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ। ଯେତେବେଳେ ବିଏସ୍‌ଏଫ୍‌ ଯବାନମାନେ ସେହି ବ୍ୟକ୍ତିଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ସେ ଝିଟିପିଟି ଭର୍ତ୍ତି ବ୍ୟାଗ୍‌କୁ ଫୋଫାଡ଼ି ଦେଇ ଦୌଡ଼ି ପଳାଇଥିଲା। ପରେ ଯବାନମାନେ ବ୍ୟାଗ୍‌ ଖୋଲି ସେଥିରେ ଝିଟିପିଟି ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ବ୍ୟାଗ୍‌କୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଏସିଆ ମହାଦେଶର ଜଙ୍ଗଲରେ ଏହି ଅତି ଦୁର୍ଲଭ ଝିଟିପିଟି ଗଛ ଡାଳରେ ଛପି ରହିଥାନ୍ତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ, ଏହି ଝିଟିପିଟି ରଖିବା କିମ୍ବା ଏହାର ବ୍ୟବସାୟ କରିବା ବେଆଇନ ଅଟେ। ପାରମ୍ପରିକ ଭାବେ ଏହି ‘ଟେକୋ ଗେକୋ’ ପ୍ରଜାତିର ଝିଟିପିଟିରୁ ଔଷଧ ପ୍ରସ୍ତୁତି କରାଯାଇଥାଏ ବୋଲି ଜଣାପଡ଼ିଛି।

Share