ହଲିଉଡରୁ ନକଲ ହୋଇଛି ଫିଲ୍ମ ‘ଆଦିପୁରୁଷ’ର ସିନ୍‌!

ମୁମ୍ବାଇ: ରିଲିଜ ହେବା ପରଠାରୁ ‘ଆଦିପୁରୁଷ’ ବିବାଦରେ ଘେରରେ ରହିଛି। ପ୍ରଥମେ ଫିଲ୍ମର ଭିଫିଏକ୍ସ ଏବଂ ପରେ ସଂଳାପକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଦିପୁରୁଷର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି। ଅବଶ୍ୟ ଫିଲ୍ମ ଯେତିକି ହାଇପ୍ରୋଫାଇଲ ଥିଲା, ସମାନ ବେଗରେ ପ୍ରଶଂସକଙ୍କୁ ନିରାଶ କରିଛି। ଆଦିପୁରୁଷ ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ୩୪୮.୯୦କୋଟି ଟଙ୍କା ସଂଗ୍ରହ କରିଛି। ତଥାପି ଏହି ଫଇଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି। ତେବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଫିଲ୍ମ ହଲିଉଡରୁ କପି ହୋଇଥିବା କୁହାଯାଉଛି। ଏନେଇ ବହୁତ ଗୁଡିଏ ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଆଦିପୁରୁଶରେ ପ୍ରଭାସଙ୍କ ଏଣ୍ଟ୍ରି ସିନ୍‌ ଯେଉଁଥିରେ ସେ ଗଭୀର ପାଣି ତଳେ ପଦ୍ମାସନ ପୋଜ୍‌ରେ ବସିଥିବାର ନଜର ଆସିଛନ୍ତି। ତାଙ୍କୁ ହଲିଉଡ ଫିଲ୍ମରୁ କପି କରାଯାଇଥିବା କୁହାଯାଉଛି। ଠିକ ସେହି ସମାନ ଦୃଶ୍ୟରେ ୨୦୨୦ ଚଳଚ୍ଚିତ୍ର ଏକ୍ସଟ୍ରାକସନରେ କ୍ରିସ ହେମସୱର୍ଥଙ୍କ ମଧ୍ୟ ସମାନ ଢଙ୍ଗରେ ନଜର ଆସିଥିଲେ।

ସେହିପରି ଫିଲ୍ମରେ ପ୍ରଭୁ ରାମଙ୍କ ମାଙ୍କଡ଼ସେନାରେ ଦେଖାଯାଇଥିବା ମାଙ୍କଡମାନେ ୨୦୧୧ ଚଳଚ୍ଚିତ୍ର ପ୍ଲାନେଟ ଅଫ ଆପ୍ସ ହଲିଉଡ ଫିଲ୍ମରୁ କପି କରାଯାଇଛି। ସେହି ଚଳଚ୍ଚିତ୍ରରେ ମାଙ୍କଡ଼ମାନେ ବେଶଭୂଷା ଏବଂ ଦୌଡିବା ଯେଉଁ ପୋଜ୍‌ରେ ଥିଲା ସେହିଭଳି ମାଙ୍କଡମାନେ ମଧ୍ୟ ଏଥିରେ ଦେଖାଯାଇଛି।

ଏହି ଚଳଚ୍ଚିତ୍ରରେ ଲଙ୍କେଶ ଭୂମିକାରେ ନଜର ଅସିଥିବା ସୈଫ ଅଲ୍ଲୀ ଖାନଙ୍କୁ ପୁଷ୍ପକ ବିମାନ ବଦଳରେ ବାଦୁଡି ଉପରେ ବସି ବୁଲୁଥିବାର ଦେଖାଯାଇଛି। ଏହି ବାଦୁଡି ଗୋଟ୍‌ ଡ୍ରାଗନର ନକଲ ହୋଇଛି। ବାଦୁଡି ପରି ସେହି ଫିଲ୍ମର ଡ୍ରାଗନ ମଧ୍ୟ ଏପରି ଉଡ଼ୁଥିବାର ଦେଖିବାକୁ ମିଳିଛି ।

ରାମାୟଣରେ ସୁବର୍ଣ୍ଣ ଲଙ୍କା ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥାଏ। କିନ୍ତୁ ଆଦିପୁରୁଷ ଫିଲ୍ମରେ ସୁନାର ଲଙ୍କାକୁ କଳା ରଙ୍ଗର ଲଙ୍କା ଭାବେ ଦେଖାଯାଇଛି। କେବଳ ଏତିକି ନୁହେଁ, ଲଙ୍କାକୁ ଥୋର: ରାଗନାରୋକ ହଲିଉଡ ଫିଲ୍ମର ଆସଗାର୍ଡର ପରି ବର୍ଣ୍ଣନା କରାଯାଇଛି।

ଆଉ ଏକ ଦୃଶ୍ୟରେ ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଶରୀରରେ ଟାଟୁ ଅଛି। ସେ ଜଣେ ଟାଟୁ କଳାକାର ବୋଲି କୁହାଯାଉଛି। ତାଙ୍କ ଟାଟୁ ଚରିତ୍ରକୁ ମାର୍ଭଲ ୟୁନିଭର୍ସର ଚରିତ୍ର ସହ ତୁଳନା କରାଯାଇଛି।

Share