ନଦୀରେ ଚୁଆ ଖୋଳି ପିଉଛନ୍ତି ପାଣି

ଖଡ଼ିଆଳ,୧୯।୬(ସୁଜିତ୍‌ ପ୍ରଧାନ): ଗତ କିଛିଦିନ ହେବ ଓଡ଼ିଶା ହଟ୍‌ସ୍ପଟ୍‌ ପାଲଟିଛି। ପାରଦ ଉପରମୁହଁା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବିଦ୍ୟୁତ୍‌ କାଟ ପାଇଁ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଅନେକ ଗ୍ରାମରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ସରକାର ମେଗା ଯୋଜନାରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଜଳ ଯୋଗାଣ କରିସାରିଛନ୍ତି। ହେଲେ ଏହି ମେଗା ଯୋଜନାରେ ଜଳ ଯୋଗାଣ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବଡ଼ମୁଲା ଗ୍ରାମରେ ଫେଲ ମାରିଛି।
ସୂଚନା ମତେ ଖଡ଼ିଆଳ ବ୍ଲକ ବଡ଼ମୁଲା ଗ୍ରାମରେ ୨୦୦୦ରୁ ଅଧିକ ଲୋକ ବାସ କରନ୍ତି। ୨୦୨୧ରେ ଉକ୍ତ ଗ୍ରାମରେ ମେଗା ଯୋଜନାରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଥିଲା। ହେଲେ ପାଣି କେଉଁ ଦିନ ଆସୁଥିଲା ତ କେଉଁ ଦିନ ଆସୁ ନ ଥିଲା। ଗତ ଏକ ମାସ ହେଲା ପାଣି ସମ୍ପୂର୍ଣ୍ଣ ଭାବେ ଆସୁ ନ ଥିବା ଗ୍ରାମର ଧନଞ୍ଜୟ ଚୌହାନ ଅଭିଯୋଗ କରିଛନ୍ତି। ଏକ ମାସରେ କେବଳ ଥରେ ପାଣି ଦିଆଯାଇଛି ବୋଲି ସେ କହିଛନ୍ତି। ପାଣି ସମସ୍ୟା ଉତ୍କଟ ହେଉଥିବାରୁ ମହିଳାମାନେ ଅତ୍ୟଧିକ ଗରମରେ ଏକ କିଲୋମିଟର ଦୂର ନଦୀକୁ ଯାଇ ଚୁଆ ଖୋଳି ପାଣି ଆଣୁଛନ୍ତି। ଗ୍ରାମରେ ୬ଟି ନଳକୂପ ରହିଛି। ହେଲେ ନଳକୂପଗୁଡ଼ିକରୁ ମଧ୍ୟ ଠିକରେ ପାଣି ବାହାରୁ ନ ଥିବା ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି। ଏ ବିଷୟରେ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ପାଣି ସମସ୍ୟା ରହିଛି। ପାଣି ଯୋଗାଣରେ କାଁ ଭାଁ ଟିକିଏ ଅସୁବିଧା ହେଉ ଥେଇପାରେ, ଆମେ ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତିଖାଲି ବାମ ମୁଖ୍ୟ କେନାଲରେ ପାଣି ଆସୁଥିଲା। ଚଳିତବର୍ଷ କେନାଲ ମରାମତି କରାଯାଉଥିବାରୁ କେନାଲରେ ପାଣି ଛଡା ଯାଉନାହିଁ। ଫଳରେ ଜଳସ୍ଥର ତଳାଭିମୁଖୀ ହୋଇଛି। ଆମେ ଅତିଶୀଘ୍ର ପାଣି ସମସ୍ୟା ସମାଧାନ କରିଦେବୁ ବୋଲି କହିଥିଲେ। ପିଏଚର କନିଷ୍ଠ ଯନ୍ତ୍ରୀ ଦେବୀପ୍ରସାଦ ତାଣ୍ଡିଙ୍କୁ ଯୋଗାଯୋଗ କରାଯିବାରୁ ବଡ଼ମୁଲା ଗ୍ରାମର ପାଣି ଯୋଗାଣ ପାଇଁ ଖୋଳାଯାଇଥିବା ବୋରାୱେଲରେ ପାଣି ନିମ୍ନଗାମୀ ହୋଇଛି। ଫଳରେ ପାଣି ସମସ୍ୟା ଦେଖାଦେଇଛି ବୋଲି ସେ କହିଥିଲେ। ବିଡିଓଙ୍କ ସହିତ କଥା ହୋଇ ଅତିଶୀଘ୍ର ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Share