‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ ରେଳ ଷ୍ଟେଶନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ହତାଶ ପରିସ୍ଥିତି।

“ପରିସ୍ଥିତି ଖରାପ ଅଛି। ଆମ ପାଖରେ କୌଣସି ବଙ୍କର ନାହିଁ। ଏହା ପୂରା ଖୋଲା ସ୍ଥାନ। ଆମ ସାମ୍ନାରେ ଟ୍ରେନ ଥିଲା, କିନ୍ତୁ ସେମାନେ ଆମକୁ ଭିତରକୁ ପଶିବାକୁ ଦେଲେ ନାହିଁ। କେବଳ ୟୁକ୍ରେନ ନାଗରିକଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ଗେଟ୍‌ ଖୋଲୁଛି। ଆମ ଲାଗି ବନ୍ଧୁକ, ବୁଲେଟ୍‌ ଅଛି। ହେଲେ ଟ୍ରେନ ନାହିଁ। ଆମେ ରିସ୍କ ନେଇ ଏଠାକୁ ଆସିଛୁ। ଏକ ହଜାରରୁ ଅଧିକ ଭାରତୀୟ ରେଳ ଷ୍ଟେଶନରେ ଫସିଛନ୍ତି। ଆମେ ଟ୍ରେନକୁ ଅପେକ୍ଷା କରିଛୁ। ୟୁକ୍ରେନ ସୁରକ୍ଷା କର୍ମୀ ଆମ ଉପରେ ଗୁଳି ଚଳାଉଛନ୍ତି, ଗୋଇଠା ମାରୁଛନ୍ତି। ସେମାନେ ଆମକୁ ଭିତରକୁ ଯିବାକୁ ଦେଉ ନାହାନ୍ତି। ମୁଁ ଭାରତ ସରକାରଙ୍କୁ କହିବାକୁ ଚାହେଁ, ଯଦି ଆମକୁ କିଛି ହୋଇଯାଏ, ତେବେ ଦୟାକରି ଆମ ପରିବାରର ଯତ୍ନ ନେବ” ବୋଲି ଭାରତୀୟ ଛାତ୍ରୀ ପ୍ରଗୁନ ରେଳ ଷ୍ଟେଶନରେ କରିଥିବା ଭିଡିଓରେ କହିଛନ୍ତି।

ଅନ୍ୟ ଜଣେ ଛାତ୍ର ପଠାଇଥିବା ଭିଡିଓରେ କହିଛନ୍ତି, ସେମାନେ ୩ ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। ହେଲେ ଟ୍ରେନ ମଧ୍ୟକୁ ପସିବାକୁ ଅନୁମତି ମିଳୁନାହିଁ। କାହିଁକି ଏଭଳି କରାଯାଉଛି, ଆମକୁ ଜଣା ନାହିଁ। ଏଠାରେ ପ୍ରବଳ ଥଣ୍ଡା ହେଉଛି। ବରଫ ପଡ଼ୁଛି। ପରବର୍ତ୍ତୀ ଟ୍ରେନରେ ଆମକୁ ପସିବାକୁ ଅନୁମତି ଦିଆଯିବ କି ନାହିଁ, ତାହା ଜଣା ନାହିଁ। ଏଠାରେ ଅନେକ ଛାତ୍ରୀଛାତ୍ର ଅଛନ୍ତି। ଆମ ସହ ଝିଅ ମଧ୍ୟ ରହିଛନ୍ତି।

Share