Categories: ଜାତୀୟ

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି ଚଢ଼ାଉ ହେଉ କିମ୍ବା ଉଦ୍ଧବ ଠାକରେଙ୍କ ସୁରକ୍ଷାକୁ ହ୍ରାସ କରିବା ହେଉ, ଏସବୁ ରାଜନୀତି ଦ୍ୱାରା ପ୍ରଭାବିତ ହୋଇଛି। ଭାଜପା ନିଶ୍ଚିତ ଭାବରେ ନିଜର କୁକର୍ମର ଫଳ ପାଇବ।

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ। ବିଭିନ୍ନ ଏଜେନ୍ସିର ଅପବ୍ୟବହାର ଭାଜପା ସରକାର କରୁଛନ୍ତି। ଏହା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ତେବେ ମହାରାଷ୍ଟ୍ରର ବିଦ୍ୟାଳୟ ତଥା ଗଣ ଶିକ୍ଷା ମନ୍ତ୍ରୀ ଦୀପକ କେସରକର ସଞ୍ଜୟ ରାଉତଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଉଦ୍ଧବ ଠାକରେ ଏବଂ ତାଙ୍କ ପରିବାରର ସୁରକ୍ଷା ହ୍ରାସ କରାଯାଇ ନାହିଁ। ଏ ସମ୍ପର୍କରେ ରାଜ୍ୟ ଗୃହ ବିଭାଗ ସ୍ପଷ୍ଟୀକରଣ ଦେଇଛି। ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେ ଏ ବିଷୟରେ ମିଛ କହିବା ଉଚିତ ନୁହେଁ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଅତିରିକ୍ତ ଯାନବାହାନକୁ ହଟାଇ ଦିଆଯାଇଛି। ଏଥି ସହ ଉଦ୍ଧବ ଦଳର ଜଣେ ନେତା କହିଥିଲେ ମାତୋଶ୍ରୀରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ହ୍ରାସ କରାଯାଇଛି।

କିଛି ଦିନ ପୂର୍ବେ ତାମିଲନାଡୁର ବିଦ୍ୟୁତ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ଉପରେ ଇଡିଙ୍କ କାର୍ଯ୍ୟକଳାପକୁ ନେଇ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସଞ୍ଜୟ ରାଉତ କହିଥିଲେ ବିରୋଧୀ ଦଳଙ୍କୁ ଭୟଭୀତ କରିବାର କାର୍ଯ୍ୟ ଇଡି ଦ୍ୱାରା କରାଯାଉଛି। ସେ କହିଥିଲେ ଯଦି ଇଡି ନ ଥାନ୍ତା ତେବେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇ ପାରି ନ ଥାନ୍ତା।

Share