Categories: ଫୁରସତ

ପ୍ରେମିକ ଭାବେ ଉଦାହରଣ ସାଜିଛନ୍ତି ଏମାନେ, କରିଛନ୍ତି କିଛି ଏଭଳି…

ସ୍ତ୍ରୀଙ୍କ ସ୍ମୃତିରେ ସ୍ବାମୀ ତିଆରି କଲେ ହାର୍ଟ ଶେପ୍‌ର ଏକ ଜଙ୍ଗଲ: ଇଂଲଣ୍ଡସ୍ଥିତ ଏକ ଗାଁ ହେଉଛି ୱିକ୍‌ୱାର୍‌। ସେଠାକାର ଜଣେ ବାସିନ୍ଦା ହେଲେ ୱିନ୍‌ଷ୍ଟୋନ ହୋୱେସ୍‌। ବୃତ୍ତିରେ ଜଣେ କୃଷକ। ୧୯୬୨ ମସିହାରେ ସେ ଜାନେଟ୍‌ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନ ତାଙ୍କର ବେଶ୍‌ ହସଖୁସିରେ ଚାଲିଥିଲା। ସ୍ବାମୀ-ସ୍ତ୍ରୀ ପରସ୍ପରଙ୍କୁ ଖୁବ୍‌ ଭଲ ପାଉଥିଲେ ଆଉ ସମ୍ମାନ କରୁଥିଲେ। ୩୩ବର୍ଷର ବୈବାହିକ ଜୀବନ ଅତିବାହିତ ହେଲା ପରେ ହଠାତ୍‌ ଜାନେଟ୍‌ଙ୍କର ଭୀଷଣ ଦେହ ଖରାପ ହେବାରୁ ସେ ମୃତ୍ୟୁମୁଖରେ ପଡ଼ିଲେ। ୧୯୯୫ରେ ତାଙ୍କର ମୃତ୍ୟୁ ହେଲା। ସ୍ତ୍ରୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଲେ ୱିନ୍‌ଷ୍ଟୋନ। ବଞ୍ଚତ୍ବା ତାଙ୍କ ପାଇଁ ଦୁର୍ବିଷହ ହୋଇପଡିଲା। ସେଥିପାଇଁ ସେ ଏକ ଉପାୟ ଚିନ୍ତା କଲେ। ନିଜ ପାଖେ ଥିବା ୧୧୨ ଏକରର ଏକ ପଡ଼ିଆ ଜମିରେ ସେ ବୃକ୍ଷରୋପଣ କରିବା ଆରମ୍ଭ କଲେ। ପାଖାପାଖି ଛଅ ହଜାର ଓକ୍‌ ଗଛ ସେଠାରେ ଲଗାଇଲେ। ଆଶ୍ଚର୍ଯ୍ୟର କଥା ଜମିର ସବୁ ଭାଗରେ ଗଛ ଲଗାଇଥିଲେ ହେଁ ମଝି ଭାଗର କିଛି ଅଂଶକୁ ଖାଲି ଛାଡ଼ି ଦେଇଥିଲେ। ପ୍ରତିଦିନ ଜମିକୁ ଯାଇ ଗଛର ଯତ୍ନ ନେବାରେ ତାଙ୍କର ସମୟ କେମିତି ବିତିଯାଉଥିଲା ସେ ଜାଣିପାରୁ ନ ଥିଲେ।

ଏମିତି କିଛିଦିନ ବିତିବା ପରେ ଯେତେବେଳେ ଓକ୍‌ ଗଛଗୁଡ଼ିକ ବଡ଼ ହୋଇଗଲା, ସେତେବେଳେ ଜଣାପଡିଲା ଯେ, ମଝି ଭାଗରେ ଜମିର ଯେଉଁ ଅଂଶଟି ଖାଲି ପଡିଥିଲା ତାହା ଏକ ହାର୍ଟ ଶେପ୍‌ ଭୂମିରେ ପରିଣତ ହୋଇଯାଇଛି। କିନ୍ତୁ ଏ ସମ୍ପର୍କରେ କେହି ସହଜରେ ଜାଣିପାରୁ ନ ଥିଲେ। କାରଣ ତଳୁ ଦେଖିଲେ ଏହା କିଛି ବି ଜଣାପଡୁ ନ ଥିଲା। ହେଲେ ୨୦୧୨ରେ ଆଣ୍ଡି କୋଲେଟ୍ଟ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କିତ ଖବର ପ୍ରଥମେ ଲୋକଲୋଚନକୁ ଆଣିଲେ। କାରଣ ଆଣ୍ଡିଙ୍କର ଏକ ସଉକ ଥିଲା ହଟ୍‌ ଏୟାର୍‌ ବେଲୁନ୍‌ରେ ବସି ଆକାଶମାର୍ଗରେ ଉଡ଼ି ବୁଲିବା। ଦିନେ ଏମିତି ଆକାଶମାର୍ଗରେ ଉଡୁ ଉଡୁ ସେ ଏହି ଆଶ୍ଚର୍ଯ୍ୟକର ଦୃଶ୍ୟଟିକୁ ଦେଖିଥିଲେ ଆଉ ତାହାର କେତୋଟି ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଧୀରେ ଧୀରେ ଏହି ଘଟଣା ସମ୍ପର୍କରେ ଚର୍ଚ୍ଚା ହେବାକୁ ଲାଗିଲା। ଅନେକ ଗଣମାଧ୍ୟମ ସଂସ୍ଥା ୱିନ୍‌ଷ୍ଟୋନଙ୍କର ସାକ୍ଷାତ୍‌କାର ନେଲେ। ଆଉ ସେହି ସାକ୍ଷାତ୍‌କାରରେ ହିଁ ୱିନ୍‌ଷ୍ଟୋନ କହିଥିଲେ ପ୍ରକୃତ ଘଟଣା ସମ୍ପର୍କରେ। ସେ କହିଥିଲେ- ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକଲା ହୋଇଯାଇଥିଲେ। ସମୟ କଟାଇବା ପାଇଁ ସେ ଏହି ଅଭିନବ ପ୍ରୟାସ ଆପଣାଇଥିଲେ। ତା’ସହିତ ନିଜ ସ୍ତ୍ରୀଙ୍କ ସ୍ମୃତିରେ ସେ ଜାଣି ଜାଣି ଏମିତି ଏକ ହାର୍ଟ ଶେପ୍‌ର ଭୂମି ଛାଡିଥିଲେ, ଯେଉଁ ଜାଗାରେ ସେ ବସି ନିଜ ସ୍ତ୍ରୀଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତଗୁଡ଼ିକୁ ମନେପକାଇ ଖୁସି ହୋଇପାରୁଥିଲେ। ଆଉ ସେହି ମୁହୂର୍ତ୍ତକ ଖୁସି ହିଁ ତାଙ୍କୁ ସାହସ ଦେଉଥିଲା ଏକାକୀ ବଞ୍ଚତ୍ବାକୁ। ତେବେ ସେ ଯାହା ବି ହେଉ ୱିନ୍‌ଷ୍ଟୋନଙ୍କ ପ୍ରଚେଷ୍ଟାରେ ଏହି ହାର୍ଟ ଶେପ୍‌ ଭୂମିର ଚତୁଃପାର୍ଶ୍ୱରେ ଓକ୍‌ ଗଛର ଏକ ଜଙ୍ଗଲ ସୃଷ୍ଟି ହୋଇପାରିଥିବାରୁ ପ୍ରକୃତି ପାଇଁ ଯେ ଏହା କେତେ ଉପକାରୀ ହୋଇପାରିଛି ଏଥିରୁ ଅନୁମାନ କରିପାରୁଥିବେ।

ସ୍ତ୍ରୀଙ୍କ ହସ ଫେରାଇ ଆଣିବାକୁ ସ୍ବାମୀ ତିଆରି କଲେ ଫୁଲବଗିଚା: ଜାପାନର ସିନ୍‌ଟୋମି ଅଞ୍ଚଳର ଶ୍ରୀମାନ ଓ ଶ୍ରୀମତୀ କୁରୋକି ୧୯୫୬ ମସିହାରେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେତେବେଳେ ଘରକୁ ଲାଗି ଶ୍ରୀମାନ କୁରୋକିଙ୍କର ଏକ ଡାଏରୀ ଫାର୍ମ ଥିଲା। ବିବାହ ପରେ ଫାର୍ମ କାମରେ ସ୍ବାମୀଙ୍କୁ ସହଯୋଗ କରିବାକୁ ଶ୍ରୀମତୀ କୁରୋକି ମଧ୍ୟ ଆଗେଇ ଆସିଲେ। ସ୍ବାମୀ-ସ୍ତ୍ରୀଙ୍କ ମିଳିତ ଉଦ୍ୟମରେ ଫାର୍ମର କାମ ଖୁବ୍‌ ଚାଲିଲା, ରୋଜଗାର ବି ଭଲ ହେଲା। ପରସ୍ପରର ସୁଖଦୁଃଖର ସାଥୀ ହୋଇ ବେଶ୍‌ ଖୁସିରେ ୩୦ ବର୍ଷର ପାରିବାରିକ ଜୀବନ ସେମାନେ କାଟିଦେଲେ। ସେତେବେଳେକୁ ଉଭୟଙ୍କୁ ବାର୍ଦ୍ଧକ୍ୟ ଛୁଇଁ ସାରିଥାଏ। ଏଥର ସେମାନେ ମନ ବଳାଇଲେ ଫାର୍ମର ଦାୟିତ୍ୱ କାହାକୁ ଦେଇ ଜାପାନ ଭ୍ରମଣରେ ଯିବେ। ଏଥିପାଇଁ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ହଠାତ୍‌ ଶ୍ରୀମତୀ କୁରୋକି ନିଜର ଦୃଷ୍ଟିଶକ୍ତି ହରାଇ ବସିଲେ। ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଏତେ ଦୁର୍ବଳ କରିଦେଲା ଯେ, ସେ ହସିବା ମଧ୍ୟ ଛାଡିଦେଲେ। କାହା ସହିତ ଭଲମନ୍ଦ କଥା ହେବା, ଠିକ୍‌ରେ ଖିଆପିଆ କରିବା ଏପରିକି ଘରୁ ବାହାରିବା ବି ସେ ବନ୍ଦ କରିଦେଲେ। ସ୍ତ୍ରୀଙ୍କର ଏଭଳି କରୁଣ ଅବସ୍ଥା ଶ୍ରୀମାନ କୁରୋକିଙ୍କୁ ଖୁବ୍‌ କଷ୍ଟ ଦେଉଥିଲା। ସବୁବେଳେ ହସୁଥିବା ତାଙ୍କ ପ୍ରିୟ ସ୍ତ୍ରୀଙ୍କ ମୁହଁରେ ଏଭଳି ଦୁଃଖର କଳାବାଦଲ ଦେଖି ତାଙ୍କୁ ବି ବଞ୍ଚତ୍ବାକୁ ଇଚ୍ଛା ହେଉ ନ ଥିଲା। ତଥାପି ସିଏ ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲେ ଆଉ କିପରି ନିଜ ସ୍ତ୍ରୀଙ୍କ ମୁହଁରେ ପୁଣିଥରେ ହସ ଫୁଟାଇବେ ସେଥିପାଇଁ ଅନେକ ଚିନ୍ତା ମଧ୍ୟ କଲେ। ହଠାତ୍‌ ତାଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା। ଫୁଲ ପ୍ରତି ତାଙ୍କ ସ୍ତ୍ରୀଙ୍କର ଖୁବ୍‌ ଦୁର୍ବଳତା ଥିବା କଥା ତାଙ୍କର ମନେପଡିଲା। ତେଣୁ ସେ ଚିନ୍ତା କଲେ ତାଙ୍କ ଡାଏରୀ ଫାର୍ମକୁ ଏକ ସୁନ୍ଦର ବଗିଚାରେ ପରିଣତ କରିବେ। ସେଥିପାଇଁ ସେ ମୁଖ୍ୟତଃ ଗୋଲାପୀ ରଙ୍ଗର ଶିବଜାକୁରା ଫୁଲକୁ ଚୟନ କରିଥିଲେ। କାରଣ ଏହି ଫୁଲର ଏକ ସୁନ୍ଦର ମହକ ଥାଏ, ତା’ସାଙ୍ଗକୁ ଏହାର ରଙ୍ଗ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ବେଶ୍‌ କିଛିଦିନର କଠିନ ପରିଶ୍ରମ ପରେ ଶ୍ରୀମାନ କୁରୋକି ନିଜ ଲକ୍ଷ୍ୟରେ ସଫଳ ହେଲେ ଆଉ ସ୍ତ୍ରୀଙ୍କ ପାଇଁ ନିଜ ଡାଏରୀ ଫାର୍ମକୁ ଏକ ସୁନ୍ଦର ବଗିଚାରେ ପରିବର୍ତ୍ତନ କରିଦେଲେ। ଯଦ୍ଦ୍ବାରା ବଗିଚାରେ ଫୁଟିଥିବା ଫୁଲର ମହକ ଧୀରେ ଧୀରେ ଶ୍ରୀମତୀ କୁରୋକିଙ୍କୁ ଆକର୍ଷିତ କରିଥିଲା ଆଉ ତାଙ୍କୁ ଘରୁ ବାହାରି ଖୋଲା ପବନରେ ବୁଲାବୁଲି କରିବାକୁ ବାଧ୍ୟ କରିଥିଲା। ମନୋବଳ ହରାଇ ବସିଥିବା ଶ୍ରୀମତୀ କୁରୋକି କ୍ରମେ ଜିଇବାକୁ ଲାଗିଲେ, ହସିବାକୁ ଲାଗିଲେ; ଆଉ ଏସବୁ କେବଳ ତାଙ୍କ ସ୍ବାମୀଙ୍କ ପ୍ରଚେଷ୍ଟା ଯୋଗୁ ହିଁ ସମ୍ଭବ ହୋଇପାରିଥିଲା। ତେବେ ଏହି ବଗିଚା ଯେ କେବଳ ଶ୍ରୀମତୀ କୁରୋକିଙ୍କୁ ଜିଇବା ଶିଖାଇଥିଲା ତାହା ନୁହେଁ, ଧୀରେ ଧୀରେ ଏହା ଆଖପାଖ ଲୋକଙ୍କୁ ବି ଆକର୍ଷିତ କରିଥିଲା ନିଜ ଆଡ଼କୁ। ଫଳରେ ଏଠାରେ ଦିନକୁ ଦିନ ଲୋକଙ୍କର ଭିଡ଼ ଜମିବାକୁ ଲାଗିଲା, ଯାହା ଉଭୟ ଶ୍ରୀମାନ ଓ ଶ୍ରୀମତୀ କୁରୋକିଙ୍କ ଜୀବନରେ ବଞ୍ଚତ୍ବାର ନୂଆ ଆଶା ସଂଚାର କରିଦେଇଥିଲା।

ପ୍ରେମିକାଙ୍କୁ ମନେଇବାକୁ ଯୁବକ ତିଆରି କଲେ ଲଭ୍‌ ଆଇଲାଣ୍ଡ: ଚାଇନାର ୟିଙ୍ଗଡେ ଅଞ୍ଚଳର ଜଣେ ବାସିନ୍ଦା ହେଲେ ଜୁ। ତାଙ୍କର ଜଣେ ସୁନ୍ଦରୀ ତରୁଣୀଙ୍କ ସହ ଥିଲା ପ୍ରେମସମ୍ପର୍କ। ସେମାନେ ନିଜ ସୁନେଲି ଭବିଷ୍ୟତକୁ ନେଇ ଅନେକ ରଙ୍ଗିନ ସ୍ବପ୍ନ ଦେଖିଥିଲେ। ହେଲେ ହଠାତ୍‌ ଜୁଙ୍କ ବୃଦ୍ଧ ମାତାପିତାଙ୍କ ଦେହ ଖରାପ ହୋଇଗଲା। ମାତାପିତାଙ୍କ ଦେଖାଚାହଁା କରିବାରେ ଜୁ ଏତେ ବ୍ୟସ୍ତ ରହିଗଲେ ଯେ, ପ୍ରେମିକା ପାଇଁ ଆଉ ସମୟ ବାହାର କରିପାରିଲେ ନାହିଁ। ଏମିତି ବେଶ୍‌ କିଛିଦିନ ବିତିଗଲା। ଏପଟେ ପ୍ରେମିକା ଜଣଙ୍କ ଜୁଙ୍କ ଫେରିବା ବାଟକୁ ଚାହିଁଚାହିଁ ରାଗରେ ତାଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଗଲେ। ଏକଥା ଯେତେବେଳେ ଜୁ ଜାଣିପାରିଲେ ସଙ୍ଗେସଙ୍ଗେ ପ୍ରେମିକାଙ୍କୁ ଦେଖା କରିବାକୁ ଚାହିଁଲେ; ହେଲେ ପ୍ରେମିକା ଜଣକ ତାଙ୍କୁ ଦେଖା ଦେଲେନାହିଁ। ଏପରିକି ତାଙ୍କ ସହ କଥା ମଧ୍ୟ ହେଲେ ନାହିଁ। ଦୁଃଖରେ ଭାଙ୍ଗି ପଡିଲେ ଜୁ। ପ୍ରେମିକାଙ୍କୁ କେମିତି ମନାଇବେ ସେହି ଚେଷ୍ଟାରେ ରହିଲେ। ଏମିତି ଅନେକ କଥା ଭାବୁଭାବୁ ଜୁଙ୍କ ମୁଣ୍ଡକୁ ଏକ ଉପାୟ ଆସିଲା। ଜୁଙ୍କର ଏକ ବଗିଚା ଥିଲା। ସେ ଚିନ୍ତା କଲେ ସେହି ବଗିଚାଟିକୁ କେମିତି ଲଭ୍‌ ଆଇଲାଣ୍ଡରେ ପରିଣତ କରିବେ। ସେଥିପାଇଁ ସେ ବଗିଚାରେ ଅନେକ ଗୋଲାପୀ ରଙ୍ଗର ଗଛଲତା ଆଣି ଲଗାଇଲେ, ଯେଉଁଥିରେ ମୁଖ୍ୟତଃ ଚେରି ଗଛ ହିଁ ବେଶି ରହିଥିଲା। ଏପରିକି ବଗିଚାର ଘାସକୁ ବି ସିଏ ଗୋଲାପୀ ଘାସରେ ପରିଣତ କରିଦେଲେ। କେବଳ ସେତିକି ନୁହେଁ, ଜୁ ଉକ୍ତ ବଗିଚା ଭିତରେ ଗୋଟିଏ ରୋମାଣ୍ଟିକ୍‌ ସ୍ପଟ୍‌ ବି ତିଆରି କରିଥିଲେ, ଯେଉଁଠାକୁ ଯିବା ପାଇଁ ମଝିରେ ଏକ ଆକର୍ଷଣୀୟ ପୋଲର ମଧ୍ୟ ବ୍ୟବସ୍ଥା କରାଇଥିଲେ। ଏଥିପାଇଁ ଜୁଙ୍କୁ ପ୍ରାୟ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଆଉ ଏସବୁ ସିଏ କେବଳ ନିଜ ପ୍ରେମିକାଙ୍କୁ ମନାଇବା ପାଇଁ କରିଥିଲେ। କାଳେ ତାଙ୍କ ପ୍ରେମିକା ଏସବୁ ଦେଖି ନିଜ ମନ ବଦଳାଇ ଦେବେ ଆଉ ତାଙ୍କୁ ପୁଣି ଆପଣାଇ ନେବେ। ହେଲେ ସେମିତି କିଛି ବି ହେଲାନାହିଁ। ଅବଶ୍ୟ ତାଙ୍କ ପ୍ରେମିକା ତାଙ୍କର ଏସବୁ କାରନାମା ଦେଖି ବହୁତ ଖୁସି ହୋଇଥିଲେ ଆଉ ତାଙ୍କୁ ପ୍ରଶଂସା ବି କରିଥିଲେ; କିନ୍ତୁ ତାଙ୍କ ସହିତ ଆଉ ଆଗକୁ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ। ବରଂ ଜୁଙ୍କୁ ସିଏ ଏକଥା କହି ଚାଲିଗଲେ ଯେ, ତୁମେ ବହୁତ ଭଲ ପିଲା। ତୁମ କାମକୁ ବି ବହୁତ ପସନ୍ଦ କରେ। କିନ୍ତୁ ତୁମ ପାଇଁ ମୁଁ ଉପଯୁକ୍ତ ଝିଅ ନୁହେଁ। ତେଣୁ ତୁମେ ଆଉ କେଉଁ ଝିଅକୁ ପସନ୍ଦ କରି ତାଙ୍କ ସହ ନିଜର ଜୀବନ ବିତାଇପାର। ଜୁଙ୍କର ମନକଥାକୁ ତାଙ୍କ ପ୍ରେମିକା ସିନା ବୁଝିପାରିଲେନି ହେଲେ ତାଙ୍କ ଉଦ୍ୟମକୁ ଲୋକମାନେ ବହୁତ ପସନ୍ଦ କଲେ। ହାତପାହାନ୍ତାରେ ଏତେ ସୁନ୍ଦର ସ୍ଥାନ ପାଇ ଧୀରେ ଧୀରେ ଲୋକମାନେ ସେଠାକୁ ବୁଲି ଆସିଲେ, ଫଟୋଶୁଟ୍‌ ମଧ୍ୟ କରିବାକୁ ଲାଗିଲେ। କ୍ରମେ ଏକଥା ଚର୍ଚ୍ଚା ହେବାପରେ କେତେକ ଗଣମାଧ୍ୟମ ସଂସ୍ଥା ଜୁଙ୍କର ସାକ୍ଷାତ୍‌କାର ବି ନେଲେ। ଆଉ ସେହି ସାକ୍ଷାତ୍‌କାରରେ ଜୁ କହିଲେ, ‘ମୁଁ ଜଣେ ରୋମାଣ୍ଟିକ୍‌ ସ୍ବଭାବର ଲୋକ। କିନ୍ତୁ ଏହାକୁ ମୁଁ ଭାଷାରେ ପ୍ରକାଶ କରିପାରେ ନାହିଁ। ବରଂ କାମରେ ଦେଖାଇବାକୁ ଚେଷ୍ଟା କରିଥାଏ। ହୁଏତ ଏକଥା ମୋ ପ୍ରେମିକାଙ୍କୁ ପସନ୍ଦ ଆସିଲା ନାହିଁ। ସେଥିପାଇଁ ସେ ମୋତେ ଛାଡିଦେଇ ଚାଲିଗଲେ। ତଥାପି ମୁଁ ତାଙ୍କ ଫେରିବା ବାଟକୁ ଚାହିଁ ରହିଛି। ଦେଖାଯାଉ ମୋ ଆଶା କେବେ ପୂରଣ ହେଉଛି।’ ଜୁଙ୍କ ଆଶା କେବେ ପୂରଣ ହେବ ତାହା ତ ଜଣାନାହିଁ ହେଲେ ତାଙ୍କ ହାତ ତିଆରି ଲଭ୍‌ ଆଇଲାଣ୍ଡ କିନ୍ତୁ ଏବେ ଲୋକଙ୍କର ମନ ଜିଣିବାରେ ବେଶ୍‌ ସକ୍ଷମ ହେଉଛି।

ସ୍ତ୍ରୀଙ୍କ ସ୍ମୃତିଶକ୍ତି ଫେରାଇ ଆଣିବାକୁ ସ୍ବାମୀ ଲେଖିଲେ ବହି: ମିଚିଗାନ୍‌ ଅଞ୍ଚଳର ଦମ୍ପତି ହେଲେ ଷ୍ଟେଭେ କୁର୍ଟୋ ଏବଂ କାମ୍‌ରେ କୁର୍ଟୋ। ବେଶ୍‌ ହସଖୁସିରେ ଚାଲିଥିଲା ତାଙ୍କ ବୈବାହିକ ଜୀବନ। ମା’ ହେବାକୁ ଯାଉଥିଲେ କାମ୍‌ରେ। ସେଥିପାଇଁ ଖୁସିରେ ତାଙ୍କ ପାଦ ତଳେ ଲାଗୁ ନ ଥିଲା। ନୂଆ ଅତିଥିକୁ ସ୍ବାଗତ କରିବା ପାଇଁ ଉଭୟ ସ୍ତ୍ରୀ ଓ ସ୍ବାମୀ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ଆଉ ତା’ର ସୁନେଲି ଭବିଷ୍ୟତ ପାଇଁ କେତେ କ’ଣ ଯୋଜନା ବି କରିଥିଲେ। କିନ୍ତୁ ହଠାତ୍‌ ସବୁକିଛି ଓଲଟପାଲଟ ହୋଇଗଲା। ପ୍ରସବ ସମୟ ପାଖେଇ ଆସିବାରୁ କାମ୍‌ରେ ଖୁବ୍‌ ନର୍ଭସ୍‌ ହୋଇପଡିଲେ; ଯଦ୍ଦ୍ବାରା ତାଙ୍କର ରକ୍ତଚାପ ବଢିବାକୁ ଲାଗିଲା। ତା’ସହିତ ଇଣ୍ଟରନାଲ୍‌ ବ୍ରେନ୍‌ ଇଞ୍ଜୁରି ହୋଇଯିବାରୁ ତାଙ୍କୁ ଏମର୍ଜେନ୍ସି ଆଇସିୟୁରେ ଭର୍ତ୍ତି କରାଗଲା। ଅବଶ୍ୟ ଭଗବାନଙ୍କ କୃପାରୁ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁ କାମ୍‌ରେଙ୍କର ଏକ ସୁସ୍ଥ ପୁତ୍ର ସନ୍ତାନଟିଏ ଜନ୍ମଲାଭ କଲା କିନ୍ତୁ ଅନ୍ୟପକ୍ଷେ କାମ୍‌ରେ ନିଜର ସ୍ମୃତିଶକ୍ତି ହରାଇବସିଲେ। ସିଏ କିଏ, ତାଙ୍କର କିଏ ସବୁ ଅଛନ୍ତି, ତାଙ୍କ ଘର କେଉଁଠି ଇତ୍ୟାଦି କିଛି ବି ମନେପଡୁ ନ ଥିଲା। ସ୍ତ୍ରୀଙ୍କର ଏଭଳି ଅବସ୍ଥା ଦେଖି ଷ୍ଟେଭେ ଖୁବ୍‌ ଭାଙ୍ଗିପଡିଲେ। କିନ୍ତୁ ପୁଅ କଥା ବୁଝିବାକୁ ତାଙ୍କୁ ପୁଣି ଦୃଢ଼ ହେବାକୁ ପଡିଲା। ଗୋଟେ ପଟେ ପୁଅ ଅନ୍ୟପଟେ ସ୍ତ୍ରୀ ଉଭୟଙ୍କ ପାଇଁ ସମୟ ବାହାର କରିବାକୁ ସେ ମନସ୍ଥ କରିନେଲେ। ପୁଅର ସମସ୍ତ କଥା ବୁଝି ସ୍ତ୍ରୀଙ୍କୁ ମଧ୍ୟ ନିୟମିତ ଦେଖା କରିବାକୁ ଡାକ୍ତରଖାନା ଯିବାକୁ ପଡୁଥିଲା ତାଙ୍କୁ। ଏମିତି କିଛିଦିନ ବିତିବାପରେ ଡାକ୍ତର କାମ୍‌ରେଙ୍କୁ ଘରକୁ ନେଇ ଦେଖାଚାହଁା କରିବାକୁ ଷ୍ଟେଭେଙ୍କୁ ପରାମର୍ଶ ଦେଲେ। ଷ୍ଟେଭେ ସ୍ତ୍ରୀଙ୍କୁ ଆଣି ପାଖରେ ରଖିଲେ ଆଉ ତାଙ୍କର ସମସ୍ତ ସେବାଯତ୍ନ କଲେ। କାମ୍‌ରେ ସବୁକିଛି ଦେଖୁଥିଲେ, ଅନୁଭବ କରୁଥିଲେ ହେଁ ତାଙ୍କର ପୂର୍ବ କଥା କିଛି ବି ମନେ ପଡୁ ନ ଥିଲା। ନା ସ୍ବାମୀଙ୍କୁ ଚିହ୍ନୁଥିଲେ ନା ନବ ଜନ୍ମିତ ନିଜ ପୁଅକୁ। ବେଶ୍‌ କିଛିଦିନ ଏମିତି ବିତିଗଲା। ଦିନେ କାମ୍‌ରେଙ୍କ ପାଖରେ ଷ୍ଟେଭେ ବସିଥାନ୍ତି। ହଠାତ୍‌ କାମ୍‌ରେ ତାଙ୍କୁ କହିଲେ, ‘ଆଇ ଡୁ ନଟ୍‌ ନୋ ହୋୟାର୍‌ ଆଇ ଆମ୍‌, ଆଇ ଡୁ ନଟ୍‌ ନୋ ହୁ ଆର୍‌ ୟୁ, ଆଇ ଡୁ ନଟ୍‌ ନୋ ହ୍ବାଏ ଆଇ ଆମ୍‌ ହିୟର୍‌, ବଟ୍‌ ଆଇ ନୋ ଆଇ ଲଭ୍‌ ୟୁ’। ବାସ୍‌ ଏହି ଶେଷ କଥା ପଦକ ଷ୍ଟେଭେଙ୍କ ଜୀବନରେ ଆଶାର ଏକ ନୂଆ କିରଣ ନେଇ ଆସିଥିଲା। ସେ ସଙ୍ଗେସଙ୍ଗେ ଚିନ୍ତା କଲେ, ଯଦି ମୁଁ କାମ୍‌ରେ ଆଉ ମୋ ଭିତରେ ବିତିଯାଇଥିବା ସମସ୍ତ ଘଟଣାବଳୀକୁ ନେଇ ବହି ଲେଖିବି ଆଉ ତାକୁ କାମ୍‌ରେଙ୍କୁ ପଢାଇବି ତା’ହେଲେ ହୁଏତ ସିଏ ପୁଣିଥରେ ତାଙ୍କର ସ୍ମୃତିଶକ୍ତି ଫେରିପାଇପାରିବେ। ଏହା ଭାବି ଷ୍ଟେଭେ ଲେଖିବା ଆରମ୍ଭ କଲେ। ଆଉ ଶେଷରେ ତାହାକୁ ନେଇ ଏକ ବହି ବି ସେ ପ୍ରକାଶ କଲେ, ଯାହାର ଟାଇଟଲ୍‌ ରଖିଲେ ‘ବଟ୍‌ ଆଇ ନୋ ଆଇ ଲଭ୍‌ ୟୁ’। ତା’ପରେ ସେ ବହିଟିକୁ ଆଣି କାମ୍‌ରେଙ୍କୁ ଦେଲେ ପଢ଼ିବା ପାଇଁ। ଆଶ୍ଚର୍ଯ୍ୟର ବିଷୟ ଉକ୍ତ ବହିଟିକୁ ପଢ଼ିବା ପରେ କ୍ରମେ କାମ୍‌ରେଙ୍କ ଭିତରେ ବହୁତ କିଛି ପରିବର୍ତ୍ତନ ଆସିଲା। ସିଏ ଧୀରେ ଧୀରେ ତାଙ୍କର ଭୁଲି ଯାଇଥିବା ସମସ୍ତ କଥାକୁ ମନେ ପକାଇପାରିଲେ। ଏପରିକି ସିଏ ତାଙ୍କ ପୁଅକୁ ବି ଚିହ୍ନିପାରିଲେ। ଏସବୁ କେବଳ ତାଙ୍କ ସ୍ବାମୀଙ୍କ ଯୋଗୁ ହିଁ ସମ୍ଭବ ହୋଇପାରିଥିଲା।

ତେଣୁ ଶେଷରେ କେବଳ ଏତିକି କୁହାଯାଇପାରେ, ସଚ୍ଚା ପ୍ରେମରେ ବହୁତ ଶକ୍ତି ଥାଏ। ଏହାକୁ ପାଥେୟ କରି ଅସମ୍ଭବ କାମକୁ ବି ସମ୍ଭବ କରିହୁଏ। ଏଥିପାଇଁ କେବଳ ନିଜ ଉପରେ ଭରସା ଆଉ ନିଜ ଭଲପାଇବା ଉପରେ ବିଶ୍ୱାସ ରହିବା ଦରକାର।

Share