Categories: ଖେଳ

ଭାରତକୁ ଟ୍ରୋଲ କରୁଥିଲେ, ପାଣ୍ଡ୍ୟା ଦେଲେ ମୁହଁତୋଡ ଜବାବ

ଓ୍ବେଲିଂଟନ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ଉଇକେଟ ପରାଜୟ ପରେ ଟିମ ଇଣ୍ଡିଆ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଥିଲା। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଟିମ ଇଣ୍ଡିଆର ଏହି ବିଫଳତାକୁ ପରିହାସ କରିଥିଲେ। ଟିମ ଇଣ୍ଡିଆର କ୍ଷତ ଉପରେ ଲୁଣ ଛିଞ୍ଚି ସେ କହିଥିଲେ, ଯଦି ମୁଁ ଭାରତୀୟ କ୍ରିକେଟ ଚଳାଇଥାନ୍ତି, ତେବେ ମୁଁ ମୋର ଗର୍ବ ଛାଡି ଇଂଲଣ୍ଡ ଦଳରୁ ଶିଖିବାକୁ ଚେଷ୍ଟା କରିଥାନ୍ତି। ବିସିସିଆଇ ଗର୍ବ ଛାଡି ଇଂଲଣ୍ଡଠରୁ ଆଇସିସି ଟୁର୍ନାମେଣ୍ଟ କିପରି ଜିତିବ ତାହା ଶିଖିବା ଉଚିତ୍‌। ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଭନଙ୍କୁ ମୁହତୋଡ ଜବାବ ଦେଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରାଯାଇଛି। ନଭେମ୍ବର ୧୮ ରୁ ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ କରିବ ଟିମ ଇଣ୍ଡିଆ। ଏହି ମ୍ୟାଚ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଭନଙ୍କ ମନ୍ତବ୍ୟ କଥା ଉଠିବା କ୍ଷଣି ପାଣ୍ଡ୍ୟା କହିଥିଲେ, ମୁଁ ଭାବୁ ନାହିଁ ଯେ ଆମକୁ କାହାକୁ କିଛି ପ୍ରମାଣ ଦେବା ଆବଶ୍ୟକ। ଖରାପ ଖେଳିଲେ ଲୋକମାନେ ଏମିତି କଥା କୁହନ୍ତି। କ୍ରୀଡ଼ାରେ ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବିଜୟ ଏବଂ ପରାଜୟ ଖେଳର ଏକ ଅଂଶ। ଏହାକୁ ନେଇ ବେଶୀ ଚିନ୍ତ କରିବା ଆବଶ୍ୟକ ନାହିଁ।

Share